ଅଶୋଧିତ ତେଲ ୧୦୦ ଡଲାର ଟପିବ!

ନୂଆଦିଲ୍ଲୀ: ଭାରତରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହିଛି। ଏହାକୁ ନେଇ ଲୋକଙ୍କଠାରୁ ଆରମ୍ଭ କରି ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚ ସ୍ତରରେ ରହିଥିବାରୁ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହୁଛି ବୋଲି କୁହାଯାଉଛି। ତେବେ ଆଗକୁ ଏହି ସମସ୍ୟା ଆହୁରି ଜଟିଳ ହେବାକୁ ଯାଉଛି। ଆସନ୍ତାବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଟପିବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ବ୍ୟାଙ୍କ ଅଫ୍‌ ଆମେରିକା କର୍ପୋରେସନ୍‌ର କହିବାନୁଯାୟୀ, ଭେନେଜୁଏଲା ଏବଂ ଇରାନ୍‌ରୁ ତୈଳ ଯୋଗାଣ ହ୍ରାସ ପାଇବା ଫଳରେ ଏହି ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ବ୍ୟାଙ୍କ ଅଫ୍‌ ଆମେରିକାର କହିବାନୁଯାୟୀ, ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୭ ଡଲାରରେ ରହିଛି। ୨୦୧୯ର ଦ୍ୱିତୀୟ ତ୍ରୟମାସ ସୁଦ୍ଧା ତେଲ ଦର ବ୍ୟାରେଲ ପିଛା ୯୦ ଡଲାର ପାଖାପାଖି ରହିପାରେ। ଓପେକ୍‌ ଦେଶ ଗୁଡ଼ିକ ମଧ୍ୟ ଉତ୍ପାଦନକୁ ସୀମିତ ରଖିପାରନ୍ତି। ବ୍ଲୁମ୍‌ବର୍ଗର ରିପୋର୍ଟ ଅନୁଯାୟୀ, ଆମେରିକା ଯଦି ଇରାନ୍‌ ବିରୋଧରେ କଟକଣାକୁ କଡ଼ାକଡ଼ି କରେ ତାହେଲେ ଅଶୋଧିତ ତେଲ ମୂଲ୍ୟରେ ଆହୁରି ବୃଦ୍ଧି ଦେଖାଦେଇ ପାରେ। ଯଦି ମୂଲ୍ୟ ବୃଦ୍ଧି ଜାରି ରହେ ତାହେଲେ ୨୦୧୪ ମସିହା ପରେ ପ୍ରଥମ ଥର ପାଇଁ ଅଶୋଧିତ ତେଲ ଦର ଆସନ୍ତାବର୍ଷ ୧୦୦ ଡଲାର ଟପିପାରେ।

ସମ୍ବନ୍ଧିତ ଖବର