ଭୁବନେଶ୍ବର : କରୋନା ଭୂତାଣୁ ବ୍ୟାପିବା ପରିପ୍ରେକ୍ଷୀରେ ଦେଶରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦେଶର ତିନି ତେଲ କଂପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ତରଫରୁ ଜନ ସାଧାରଣଙ୍କୁ ନିରବଚ୍ଛିନ୍ନ ଭାବେ ଅତ୍ୟାବଶ୍ୟକ ସେବା ପ୍ରଦାନ କରାଯାଉଛି। କଂପାନିଗୁଡ଼ିକ ଗ୍ରାହକଙ୍କ ହିତ ଦୃଷ୍ଟିରୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନବିକତା ଦୃଷ୍ଟିକୋଣରୁ ସେମାନେ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ଏହି ସଙ୍କଟମୟ ସମୟରେ ଲୋକମାନଙ୍କ ପାଖରେ ଏଲ୍ପିଜି ସିଲିଣ୍ଡର୍ ପହଞ୍ଚାଇବା ଲାଗି ତୈଳ କଂପାନିଗୁଡ଼ିକର କର୍ମଚାରୀ, ଏଲ୍ପିଜି ସୋ'ରୁମ୍ କର୍ମଚାରୀ, ଗୋଦାମରେ କାର୍ଯ୍ୟ କରୁଥିବା ଲୋକମାନେ, ଏଲ୍ପିଜି ମେକାନିକ୍ ଏବଂ ଘରେ ଘରେ ଗ୍ୟାସ୍ ପହଞ୍ଚାଉଥିବା ଲୋକମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଯଦି ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟେ ତେବେ ତେଲ କଂପାନି ତରଫରୁ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି, ଉଜ୍ଜ୍ବଳା ହିତାଧିକାରୀଙ୍କୁ ତିନି ମାସ ମାଗଣା ଏଲ୍ପିଜି ସିଲିଣ୍ଡର୍ ପ୍ରଦାନ କରାଯାଉଛି। ଏପ୍ରିଲ୍ ୧ରୁ ଜୁନ୍ ୩୦ ମଧ୍ୟରେ ଏହି ସିଲିଣ୍ଡରଗୁଡ଼ିକ ପ୍ରଦାନ କରାଯିବ। ଆଠ କୋଟି ଉଜ୍ଜ୍ବଳା ହିତାଧିକାରୀ ଏହା ଦ୍ବାରା ଉପକୃତ ହେବେ। ଲକ୍ ଡାଉନ୍ ସମୟରେ ଏଲ୍ପିଜି ଯୋଗାଣ ଯେଭଳି ନିରବଚ୍ଛିନ୍ନ ରହିପାରିବ ସେଥିପାଇଁ ଗ୍ୟାସ୍ କଂପାନିଗୁଡ଼ିକ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଲ୍ପିଜିର କୌଣସି ଅଭାବ ନଥିବା କଂପାନିଗୁଡ଼ିକ ଜଣାଇଛନ୍ତି। ଗ୍ରାହକମାନେ ଆଇଭିଆର୍ଏସ୍, ଏସ୍ଏମ୍ଏଏସ୍ କିମ୍ବା କଂପାନିଗୁଡ଼ିକର ଆପ୍ ଜରିଆରେ ଗ୍ୟାସ୍ ବୁକିଙ୍ଗ୍ କରିପାରୁଛନ୍ତି। ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ର କୌଣସି ଅଭାବ ନଥିବା କଂପାନିଗୁଡ଼ିକ କହିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ କଂପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି। କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ତୈଳ ଓ ଗ୍ୟାସ୍ କଂପାନିଗୁଡ଼ିକ ମିଳିତ ଭାବେ ପିଏମ୍-କେୟାରସ୍ ଫଣ୍ଡ୍କୁ ୧୦୩୧.୨୯ କୋଟି ଟଙ୍କା ଦାନ କରିଛନ୍ତି।
ତିନି ସରକାରୀ ତୈଳ କଂପାନିର ଅତ୍ୟାବଶ୍ୟକ ସେବା
/sambad/media/post_attachments/wp-content/uploads/2019/06/gas.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)