୯ ଦିନରେ ତେଲ ୬ ଟଙ୍କା ମହଙ୍ଗା: ପେଟ୍ରୋଲ ୮୬, ଡିଜେଲ ୮୫ ପଇସା ପୁଣି ବଢ଼ିଲା

ଭୁବନେଶ୍ବର: ‌ଦେଶରେ ତେଲ କମ୍ପାନି ଗୁଡ଼ିକ ଗତ ୨୨ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ୨୪ ତାରିଖକୁ ଛାଡ଼ିଦେଲେ ଅନ୍ୟ ସବୁଦିନ ଦର ବଢ଼ୁଛି। ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୮୫ ପଇସା ଏବଂ ଡିଜେଲ ୭୪ ପଇସା ବୃଦ୍ଧି ଘଟିଥିବାବେଳେ ବୁଧବାର ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା ବୃଦ୍ଧି ଘଟିଛି। ଏଥିଯୋଗୁ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୭ ଟଙ୍କା ୭୯ ପଇସାରେ ଏବଂ ଡିଜେଲ ଦର ୯୭ ଟଙ୍କା ୫୭ ପଇସାରେ ପହଞ୍ଚି ଯାଇଛି।

ଗତ ୯ ଦିନରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୯୮ ପଇସା ଏବଂ ଡିଜେଲ ୫ ଟଙ୍କା ୯୫ ପଇସା ବଢ଼ିଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଥିବା କାରଣ ଦର୍ଶାଇ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଉଛନ୍ତି। ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ନିର୍ବାଚନ ପାଇଁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ପ୍ରାୟ ୧୩୬ ଦିନ ଧରି ସ୍ଥିର ରଖିଥିଲେ। ଏପରିକି ନିର୍ବାଚନ ଫଳ ଘୋଷଣା ପରେ ମଧ୍ୟ ତୁରନ୍ତ ତେଲ ଦର ବଢ଼ାଇଲେ ନାହିଁ। କିନ୍ତୁ ଗତ ୨୨ ତାରିଖରୁ ସେମାନେ ପ୍ରତିଦିନ ଅଧିକ ମାତ୍ରାରେ ତେଲ ଦର ବଢ଼ାଉଛନ୍ତି। ବର୍ତ୍ତମାନ ଯେଉଁ ହାରରେ କମ୍ପାନିଗୁଡ଼ିକ ତେଲ ଦର ବଢ଼ାଉଛନ୍ତି ପୂର୍ବରୁ ତାହା କେବେ ଦେଖାଯାଇ ନଥିଲା। ଏହାର କାରଣ ହେଲା ଅଶୋଧିତ ତେଲ ବୃଦ୍ଧି ପାଉଥିବା ସମୟରେ ସରକାରୀ ତେଲ କମ୍ପାନି ଗୁଡ଼ିକ କେବେବି ଏତେଦିନ ଧରି ଦର ସ୍ଥିର ରଖି ନଥିଲେ। ସେଥିପାଇଁ ଶୀଘ୍ର ଶୀଘ୍ର ଗ୍ରାହକଙ୍କ ଉପରେ କମ୍ପାନିଗୁଡ଼ିକ ବର୍ଦ୍ଧିତ ଦର ଲଦି ଚାଲିଛନ୍ତି।

ସମ୍ବନ୍ଧିତ ଖବର