ତିନି ଜଣଙ୍କ ହାତରେ ତେଲର ଭାଗ୍ୟ

ନୂଆଦିଲ୍ଲୀ: ଆଗାମୀ ଦିନରେ ତେଲ ଦର ବଢ଼ିବ ନା କମିବ ତାହା ତିନି ଜଣ କ୍ଷମତାଶାଳୀ ବ୍ୟକ୍ତିଙ୍କ ଉପରେ ନିର୍ଭର କରୁଛି। ସେମାନେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ରୁ‌ଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ (ଯୁବରାଜ) ମହମ୍ମଦ ବିନ୍ ସଲ୍‌ମାନ୍। ଏମାନେ ଯାହା ଚାହିଁବେ ତେଲ ଦର ସେହି ଅନୁସାରେ ତଳ ଉପର ହେବ। କିନ୍ତୁ, ତେଲକୁ ନେଇ ଏହି ତିନି ଜଣଙ୍କ ଚିନ୍ତାଧାରା ତିନିଟି ଭିନ୍ନ ଦିଗରେ ରହିଛି। କାହାର କାହା ସହିତ ସମ୍ପର୍କ ନାହିଁ। ସମସ୍ତଙ୍କ ଲକ୍ଷ୍ୟ ଅଲଗା। ଆମେରିକା ଚହୁଁଛି ସାରା ଦୁନିଆ ଉପରେ ଏହାର ପତିଆରା ବଜାୟ ରହୁ। ସେଥିପାଇଁ ଏହା ତେଲକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ସାଉଦି ଆରବ ନିଜ ସ୍ବାର୍ଥ ପୂରଣ କରିବା ପାଇଁ ତେଲ ଦର ଆହୁରି ବଢ଼ୁ ବୋଲି ଚାହୁଁଛି। ରୁଷିଆ କିନ୍ତୁ ସ୍ଥିତିକୁ ପରଖି ଗୋଟିଚାଳନା କରୁଛନ୍ତି। ଏହା ଆମେରିକା କିମ୍ବା ସାଉଦି, କାହାକୁ ସିଧାସଳଖ ସମର୍ଥନ କରୁନାହିଁ। ତେଲ ବଜାରରେ ପୂର୍ବରୁ ଓପେକ୍ ରାଷ୍ଟ୍ର ସମୂହର ପତିଆରା ଥିଲା। ଆମେରିକା ତଲେ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଯିବା ପରେ ଖେଳର ବାଜି ପଲଟିଯାଇଛି। ଦିନେ ତେଲ ଆମଦାନି କରୁଥିବା ଆମେରିକା ଏବେ ରପ୍ତାନି କରୁଛି। ଓପେକ୍ ଅଧୀନରେ ଥିବା ୧୫ଟି ଦେଶର ସିଂହ ଭାଗ ରାଜସ୍ବ ତେଲ ବିକ୍ରିରୁ ଆସିଥାଏ। ତେଲ ଦର ସେମାନଙ୍କ ଆଶା ଠାରୁ ନିମ୍ନ ସ୍ତରରେ ରହିଛି। ତେଣୁ, ଏହି ଦେଶଗୁଡ଼ିକ ନିଜ ଅର୍ଥନୀତି ଆଗକୁ ବଢ଼ାଇବାକୁ ସଂଘର୍ଷ କରୁଛନ୍ତି। ତେଲ ଦର ଯେଭଳି ଉଚ୍ଚ ସ୍ତରରେ ରହିବ ସେଭଳି ପଦକ୍ଷେପ ଗ୍ରହଣ କରିବାକୁ ଓପେକ୍ ଚାହିଁବ। ‌ସେମାନଙ୍କ ପଦକ୍ଷେପର ନେତୃତ୍ବ ନେବେ ସାଉଦିର ରାଜା ମହମ୍ମଦ ବିନ୍ ସଲ୍‌ମାନ୍। ଇରାନ ଉପରେ ବାଣିଜ୍ୟ କଟକଣା ଲଗାଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାରା ଦୁନିଆକୁ ଏକ ବଡ଼ ଝଟ୍‌କା ଦେବାକୁ ଚାହୁଁଥିଲେ। ମାତ୍ର ଶେଷ ମୁହୂର୍ତରେ ଭାରତ ସମେତ ୮ଟି ଦେଶକୁ ରିହାତି ପ୍ରଦାନ କରାଯିବା ପରେ ସ୍ଥିତି ବଦଳିଯାଇଛି। ଅନ୍ୟ ପକ୍ଷରେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ସବୁ ଦିଗ ବିଚାରକୁ ନେବା ପରେ ସାଉଦି ଆରବକୁ କିଛିଟା ସମର୍ଥନ କରୁଛନ୍ତି। ୱାସିଂଟନ୍ ପୋଷ୍ଟ୍‌ ସାମ୍ବାଦିକ ଜମାଲ୍‌ ଖାସୋଗିଙ୍କ ହତ୍ୟା ପରେ ଆମେରିକା ଓ ସାଉଦି ସମ୍ପର୍କ ଭଲ ନାହିଁ। ଏହି ଘଟଣାକୁ ହାତ କରି ସାଉଦିକୁ ଚାପରେ ରଖିବାକୁ ଆମେରିକା ପ୍ରୟାସ କରିବ। ଆମେରିକା ଚାପ ଆଗରେ ସାଉଦି ହାର ମାନିବ ନା ନିଜ ଦେଶର ଚିତ୍ରକୁ ବଦଳାଇବା ପାଇଁ ଅଲଗା ରଣନୀତି ଗ୍ରହଣ କରି ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର