ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ପ୍ରଭାବରେ ବେଲଗାମ ହୋଇପଡ଼ିଥିବା ତେଲ ଦାମ୍ ଧୀରେ ଧୀରେ ନିୟନ୍ତ୍ରଣ ମଧ୍ୟକୁ ଆସୁଛି। ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ତଳକୁ ହ୍ରାସ ପାଇଛି। ବ୍ରେଣ୍ଟ୍ କ୍ରୁଡ୍ର ଦାମ୍ ୮.୯ ଡଲାର ହ୍ରାସ ପାଇ ୯୮ ଡଲାରରେ ପହଞ୍ଚିଛି। ସେହିପରି ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ ଦାମ୍ ୯୪.୦୪ ଡଲାର ସ୍ତରକୁ ହ୍ରାସ ପାଇଛି। ନିଜ ୮୨% ତେଲ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ପାଇଁ ଏହା ନିଶ୍ଚିତ ରୂପେ ଆଶ୍ବସ୍ତ କରିବା ଭଳି ଖବର।
ଚଳିତ ମାସ ୧ ତାରିଖ ପରେ ପ୍ରଥମ ଥର ଲାଗି ତେଲ ଦାମ୍ ୧୦୦ ଡଲାର ତଳକୁ ଖସିଛି। ମାର୍ଚ୍ଚ ୭ ତାରିଖରେ ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୩୯ ଡଲାରରେ ପହଞ୍ଚିଥିଲା। ଏହା ପରେ ସେଥିରେ ୪୦ ଡଲାରରୁ ଅଧିକ ହ୍ରାସ ହୋଇଛି। ୱେଷ୍ଟ୍ ଟେକ୍ସାସ୍ କ୍ରୁଡ୍ ଦାମ୍ ଇତି ମଧ୍ୟରେ ୩୦ ଡଲାର ହ୍ରାସ ପାଇଛି। ୟୁକ୍ରେନ୍ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିପାରୁନଥିବା ବେଳେ ତାହା ଲମ୍ବା ସମୟ ଚାଲିବା ଭଳି ଆଶଙ୍କା ଦେଖାଦେଇଛି। ଏହି ଯୁଦ୍ଧ ତେଲ ବଜାରକୁ ଯେତିକି ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିଲା ସେଭଳି କିଛି ଘଟଣା ଘଟୁନାହିଁ। ଅନ୍ୟ ପକ୍ଷରେ ଇରାନର ଆଣବିକ କାର୍ଯ୍ୟକ୍ରମ ଯୋଗୁଁ ତାହା ଉପରେ ଆମେରିକା ଲଗାଇଥିବା କଟକଣା ତୁରନ୍ତ ପ୍ରତ୍ୟାହାର କରୁ ବୋଲି ରୁଷ ଦାବି କରିଛି। ଯଦି ଆମେରିକା ସେହି କଟକଣା ପ୍ରତ୍ୟାହାର କରିବ ତେବେ ଇରାନ ଉତ୍ପାଦନ କରୁଥିବା ତେଲ ସୁବିଧାରେ ବଜାରରେ ପହଞ୍ଚିପାରିବ। ଚୀନ୍ରେ ହଠାତ୍ କୋଭିଡ୍ ସଂକ୍ରମଣ ମାମଲା ଦେଖାଦେଇଥିଲେ ମଧ୍ୟ ତାହା ତୈଳ ବଜାରକୁ ବିଶେଷ ପ୍ରଭାବିତ କରିପାରିନାହିଁ।
ତୈଳ ଦରକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ମନରେ ଥିବା ଭୟ ଦୂର କରିବା ଲାଗି ଆଜି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧାରୀ ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସାଧାରଣ ଲୋକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଯଦି ଦରକାର ପଡ଼ିବ ତେବେ ତେଲ ଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ। ବର୍ତ୍ତମାନ ବିଶ୍ବରେ ଘଟୁଥିବା ଘଟଣା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ରାଜ୍ୟସଭାରେ ଆଜି ସେ କହିଛନ୍ତି ଯେ ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାର ଦାମ୍, ମୁଦ୍ରା ବିନିମୟ ମୂଲ୍ୟ, ଟିକସ, ଅନ୍ତର୍ଦେଶୀୟ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବିଚାରକୁ ନେଇ ପେଟ୍ରୋଲ ଓ ଡିଜେଲ୍ ଦାମ୍ ନିର୍ଧାରଣ କରୁଛନ୍ତି। ଆମେ ଆନ୍ତର୍ଜାତିକ ସ୍ଥିତି ଉପରେ ନଜର ରଖିଛୁ। ସାଧାରଣ ଜନତା ପ୍ରଭାବିତ ହେବା ଭଳି ସ୍ଥିତି ସୃଷ୍ଟି ହେଲେ ତାହାକୁ ପ୍ରତିହତ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/petrol1-reuters-small.jpg)