ତେଲ ଆମଦାନି: ଭାରତ ପାଇଁ ବିକଳ୍ପ ଖୋଲା, ଇରାକରୁ କିଣୁଛି ସର୍ବାଧିକ ତେଲ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହୋଇଛି। କିଛି ଦିନ ପୂର୍ବେ ଏହାର ବ୍ୟାରେଲ ପିଛା ଦାମ୍ ୧୪୦ ଡଲାର ଅତିକ୍ରମ କରିଥିଲା। ଏବେ ସେଥିରେ କିଛିଟା ସୁଧାର ଘଟିଛି। ବର୍ତ୍ତମାନ ଅଶୋଧିତ ତୈଳ ଦାମ୍ ୧୧୩ ଡଲାର ପାଖାପାଖି ରହିଛି। ଭାରତ ନିଜ ୮୪% ତେଲ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ତେଣୁ କେଉଁ ଦେଶରୁ କେ‌ତେ ଡଲାରରେ ଓ ନିରବଚ୍ଛିନ୍ନ ଭାବେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ତେଲ କିଣିହେବ ସେହି ନିଷ୍ପତ୍ତି ସରକାରଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ।

ଭାରତ ଏହାର ୫୨.୭% ତେଲ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ମଗାଉଥିବା ବେଳେ ଆଫ୍ରିକୀୟ ଦେଶଗୁଡ଼ିକରୁ ୧୫% ଓ ଆମେରିକାରୁ ୧୪% ତେଲ ମଗାଉଛି। ରୁଷରୁ ଏହା ମାତ୍ର ୧% ତେଲ ମଗାଉଛି। ଯଦି କୌଣସି ପରିସ୍ଥିତିରେ ରୁଷ ତେଲ ମଗାଇବା ସମ୍ଭବ ନହେବ ତେବେ ଭାରତ ବିଶେଷ ପ୍ରଭାବିତ ହେବ ନାହିଁ। କିନ୍ତୁ ଯୁଦ୍ଧ ପ୍ରଭାବରେ ଅନ୍ୟ ଦେଶଗୁଡ଼ିକ ଯଦି ତେଲ ଦାମ୍ ବଢ଼ାଇବେ ତେବେ ଭାରତ ନିଶ୍ଚିତ ପ୍ରଭାବିତ ହେବ। ତେଲ ଉତ୍ପାଦନ କରିବାରେ ଆମେରିକା ହେଉଛି ବିଶ୍ବରେ ଏକ ନମ୍ବର ଦେଶ। ଏହା ପଛକୁ ରହିଛି ରୁଷ, ସାଉଦି ଆରବ, ଇରାକ, କାନାଡା, ଚୀନ୍, ୟୁନାଇଟେଡ୍ ଆରବ ଏରିରେଟ୍‌ସ, କୁଏତ, ବ୍ରାଜିଲ ଓ ଇରାନ। ଏହି ଦେଶଗୁଡ଼ିକ ମଧ୍ୟରୁ ଇରାକ, ସାଉଦି ଓ ଆମେରିକା ଜରିଆରେ ଭାରତ ଏହାର ସିଂହ ଭାଗ ତୈଳ ଆବଶ୍ୟକତା ପୂରଣ କରୁଛି। ଭାରତ ଯଦି ଚାହିଦା ଅନ୍ୟ ଦେଶଗୁଡ଼ିକରୁ ମଧ୍ୟ ତେଲ ମଗାଇ ଏହାର ଆବଶ୍ୟକତା ପୂରଣ କରିପାରିବ।

ଓପେକ୍ ରାଷ୍ଟ୍ର ସମୂହ ଜରିଆରେ ତେଲ ଆବଶ୍ୟକତା ପୂରଣ କରିବାର ସୁଯୋଗ ଭାରତ ପାଖରେ ରହିଛି। ଓପେକ୍ ଅଧୀନରେ ରହିଛନ୍ତି ଆଲଜେରିଆ, ଆଙ୍ଗୋଲା, ଇକ୍ବାଟୋରିଆଲ୍ ଗିନିଆ, ଗାବନ, ଇରାନ, ଇରାକ, କୁଏତ, ଲିବ୍ୟା, ନାଇଜେରିଆ, କଙ୍ଗୋ ଗଣରାଜ୍ୟ, ସାଉଦି ଆରବ, ୟୁଏଇ ଓ ଭେନେଜୁଏଲା। ପୂର୍ବରୁ ଇକ୍ବେଡର, ଇଣ୍ଡୋନେସିଆ ଓ କତାର ମଧ୍ୟ ଏହି ସମୂହର ଅଂଶ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବାହାରିଯାଇଛନ୍ତି। ଭାରତରେ ପେ‌ଟ୍ରୋଲ୍ ପମ୍ପ୍‌ରେ ବିକ୍ରି ହେଉଥିବା ତେଲର ଦାମ୍ ମୁଖ୍ୟତଃ ଅଶୋଧିତ ତୈଳ ଦର, ଟଙ୍କା ଓ ଡଲାରର ବିନିମୟ ମୂଲ୍ୟ ଏବଂ ସରକାର ଲଗାଉଥିବା ଟିକସ ଉପରେ ନିର୍ଭରଶୀଳ। ଆନ୍ତର୍ଜାତିକ ବଜାର ଦାମ୍ ଓ ବିନିମୟ ମୂଲ୍ୟ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। ଯାହା ସରକାର କରିପାରିବେ ତାହା ହେଉଛି ଟିକସରେ ହ୍ରାସ। କିନ୍ତୁ, କରୋନା ମହାମାରୀ ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ଏଭଳି ଭାବେ ପ୍ରଭାବିତ ହୋଇଛି ଯେ ତେଲରୁ ଟିକସ ହ୍ରାସ କଲେ ଯେଉଁ ରାଜସ୍ବ କ୍ଷତି ହେବ ତାହାକୁ ଅନ୍ୟ କେଉଁ ଉପାୟରେ ଭରଣା ‌କରିହେବ ତାହା ସରକାର ଜାଣିପାରୁନାହାନ୍ତି। ଗୋଟିଏ ବାଟ ରହିଛି ପୁଞ୍ଜିପ୍ରତ୍ୟାହାର। ମାତ୍ର ସେଥିରେ ମଧ୍ୟ ସରକାରଙ୍କ ସଫଳତା ହାର ଏତେ ଭଲ ନାହିଁ। ପୁଞ୍ଜି ପ୍ରତ୍ୟାହାର ରାଜୈନିକ ଦୃଷ୍ଟିକୋଣରୁ ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସରକାରୀ ସଂସ୍ଥାର ଘରୋଇକରଣ କିମ୍ବା ବିକ୍ରି ପାଇଁ ଉଦ୍ୟମ ହେଲେ ତାହାକୁ ବିରୋଧୀ ଦଳଗୁଡ଼ିକ ଅଧିକାଂଶ ସମୟରେ ବିରୋଧ କରିଥାନ୍ତି।

ସମ୍ବନ୍ଧିତ ଖବର