ଭାରତରେ ତେଲ ରଖିବାକୁ ଜାଗା ନାହିଁ

ପେଟ୍ରୋଲ୍‌ ପମ୍ପ୍ ତେଲରେ ଭର୍ତି, ୯୫% ସ୍ଥାନ ଫୁଲ୍‌

ନୂଆଦିଲ୍ଲୀ : ବିଶ୍ବର ଅନେକ ଦେଶରେ ତେଲ ରଖିବା ଲାଗି ସ୍ଥାନ ଅଭାବ ଦେଖାଦେଇଥିବା ବେଳେ ଭାରତରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଥିବା ପ୍ରାୟ ୬୬ ହଜାର ପେଟ୍ରୋଲ୍‌ ପମ୍ପ୍‌ର ଭଣ୍ଡାର ତେଲରେ ଭର୍ତି ହୋଇସାରିଲାଣି। ଭାରତରେ ୮୫ ନିୟୁତ ବ୍ୟାରେଲ ତେଲ ଗଚ୍ଛିତ ରଖିବାର ବ୍ୟବସ୍ଥା ରହିଛି। ସେହି ସ୍ଥାନର ୯୫ ଭାଗ ଭର୍ତି ହୋଇସାରିଲାଣି। କରୋନା ଲକଡାଉନ ଯୋଗୁଁ ତେଲ ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। ଭାରତରେ ପେଟ୍ରୋଲ୍‌ ପମ୍ପ୍‌ରେ ଥିବା ବ୍ୟବସ୍ଥା ବ୍ୟତୀତ ୩୦୦ରୁ ଅଧିକ ତୈଳ ଡିପୋ ଓ ୨୫୦ ବିମାନ ଇନ୍ଧନ ଷ୍ଟେସନରେ ତେଲ ରଖିବାର ବ୍ୟବସ୍ଥା ରହିଛି। ମୋଟ କ୍ଷମତାର ଦୁଇ ତୃତୀୟାଂଶ ଡିଜେଲ ରଖିବା ଲାଗି ବ୍ୟବହାର କରାଯାଉଥିବା ବେଳେ ୨୦% ସ୍ଥାନରେ ପେଟ୍ରୋଲ୍ ରଖାଯାଉଛି। ଦେଶର ଅଘ୍ରଣୀ ଘରୋଇ ତେଲ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶ ବାହାରେ ତେଲ ସଂରକ୍ଷିତ ରଖିବା ଉପରେ ବିଚାର କରୁଛି। ତୈଳ ବିଶୋଧନକାରୀମାନେ ଏବେ ୫୦% କ୍ଷମତ‌‌ାରେ କାର୍ଯ୍ୟ କରୁଛନ୍ତି। ତେଲ ବିକ୍ରି ହେଉନଥିବାରୁ ଅଧିକ ତୈଳ ବିଶୋଧନ କରିବା ଦରକାର ହେଉନାହିଁ। ଲକ୍‌ଡାଉନ୍ ପ୍ରଭାବରେ ଯାନବାହନ ଓ ବିମାନ ଚଳାଚଳ ବନ୍ଦ ରହିଥିବାରୁ ଏପ୍ରିଲ୍ ମାସରେ ତେଲ ବିକ୍ରି ୬୦ ପ୍ରତିଶତ କମିଛି।

ତେଲ ଦରରେ ସୁଧାର, ଆମେରିକାରେ ବଢ଼ିଲା
ନୂଆଦିଲ୍ଲୀ : ଦୁଇ ଦିନ ତଳେ ଆମେରିକାର ତେଲ ବଜାରରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ସେଥିରେ ଧୀରେ ଧୀରେ ସୁଧାର ହେଉଛି। ଆଜି ସେଠାରେ ତୈଳର ବ୍ୟାରେଲ ପିଛା ଦର ୨୦ ପ୍ରତିଶତ ବୃଦ୍ଧି ପାଇ ୧୩.୬୨ ଡଲାରରେ ପହଞ୍ଚିଛି। ଗତ ସୋମବାର ପ୍ରଥମ ଥର ଲାଗି ଆମେରିକାରେ ତେଲ ଦର ଶୂନ ତଳକୁ ଖସି -୩୭ ଡଲାର ହୋଇଥିଲା। ଅର୍ଥାତ ତେଲ ନେବା ଲାଗି ବିକ୍ରେତାମାନେ ଗ୍ରାହକମାନଙ୍କୁ ୩୭ ଡଲାର ଯାଚିଥିଲେ। ବିଶ୍ବ ତୈଳ ବଜାରରେ କାରବାର ବିଭିନ୍ନ ପ୍ରକାରରେ ହୋଇଥାଏ। ଆମେରିକାରେ ତେଲ ଦରରେ ଯେଉଁ ହ୍ରାସ ଘଟିଛି ତାହା ମୁଖ୍ୟତଃ ଆମେରିକାରେ କାରବାର ହୋଇଥାଏ। ଅନ୍ୟ ଦେଶଗୁଡ଼ିକରେ ବ୍ରେଣ୍ଟ୍‌ କ୍ରୁଡ୍‌ ଅଧିକ ବିକ୍ରି ହୋଇଥାଏ। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୧୯.୩୭ ଡଲାର ରହିଛି। କରୋନା ଭୂତାଣୁ ପ୍ରଭାବରେ ତୈଳ ଚାହିଦା କମିଛି। ଏହି ସ୍ଥିତିରୁ ଆଉ ଗୋଟିଏ ଦୁର୍ବଳତା ସାମ୍ନାକୁ ଆସିଛି। ତାହା ହେଉଛି ସଙ୍କଟମୟ ସମୟ ଲାଗି ତେଲ ଗଚ୍ଛିତ ରଖିବା ପାଇଁ କୌଣସି ଦେଶ ପାଖରେ ପର୍ଯ୍ୟାପ୍ତ ସୁବିଧା ନାହିଁ।

ସମ୍ବନ୍ଧିତ ଖବର