ଦେଶରେ ପେଟ୍ରୋଲ୍ ଓ ଡିଜେଲ ଦର ଅଣାୟତ୍ତ ହୋଇପଡ଼ିଛି। ଅଶୋଧିତ ତେଲର ଚଢ଼ା ଦର ଏବଂ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡ଼ିଥିବାରୁ ତେଲ ଦର ବଢ଼ୁଛି। ଏହା ଉପରେ ଟିକସ ବୋଝ ସାଧାରଣ ଗ୍ରାହକଙ୍କ ପକେଟ୍ ଉପରେ ବଡ଼ ଧରଣର ମାଡ଼ କରିଛି। ଦରବୃଦ୍ଧି ଯୋଗୁଁ କିଏ କିଭଳି ପ୍ରଭାବିତ ହୋଇଛନ୍ତି? କେଉଁ ସବୁ କାରଣ ଯୋଗୁଁ ତେଲ ଦର ବଢ଼ିଚାଲିଛି? ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ସରକାରଙ୍କ ପାଖରେ କ’ଣ ସବୁ ବିକଳ୍ପ ରହିଛି? ଏସବୁ ବିଷୟକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା:
ନୂଆଦିଲ୍ଲୀ,: ଦେଶରେ ପେଟ୍ରୋଲ୍ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯିବା ପରେ ଟିକସ କମାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଶିଳ୍ପ ସଂଘ ଫିକି ପକ୍ଷରୁ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଦାବି କରାଯାଇଛି। ସେହିପରି ଅନ୍ୟତମ ଶିଳ୍ପ ସଂଘ ଆସୋଚାମ୍ ପକ୍ଷରୁ ଦାବି କରାଯାଇଛି ଯେ ପେଟ୍ରୋଲିୟମ୍ ସାମଗ୍ରୀକୁ ଜିଏସ୍ଟି ପରିସରରେ ସାମିଲ କରାଯାଉ।
ସରକାର କ’ଣ କରିପାରିବେ
ପେଟ୍ରୋଲ୍ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯିବା ପରେ ଏହି ସମସ୍ୟା ପାଇଁ ଲୋକମାନେ ସରକାରଙ୍କୁ ଦୋଷ ଦେବା ଆରମ୍ଭ କରିଦେଲେଣି। କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଧିକ ବିକଳ୍ପ ନାହିଁ। ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଖରେ ତିନିଟି ବିକଳ୍ପ ରହିଛି। ପ୍ରଥମ ଦୁଇଟି ବିକଳ୍ପକୁ ସରକାର ଗ୍ରହଣ କରିବାକୁ ଚାହିଁବେ ନାହିଁ। ତୃତୀୟ ବିକଳ୍ପ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ତେଲ ଦର ଉପରେ ପ୍ରତିକ୍ରିୟା ରଖି ଗତକାଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କ’ଣ କଲେ ତେଲ ଦର କମିବ ତାହା ଉପରେ ବିଚାରବିମର୍ଶ ଚାଲିଛି। ସରକାର ଶୀଘ୍ର କିଛି ପଦକ୍ଷେପ ଗ୍ରହଣ କରିବେ। ସରକାରଙ୍କ ପାଖରେ ଏବେ କ’ଣ ସବୁ ବିକଳ୍ପ ରହିଛି ତାହା ଏଠାରେ ଉପସ୍ଥାପନ କରାଯାଇଛି:
ଟିକସ କମାଇପାରିବେ
ପ୍ରଥମ ବିକଳ୍ପ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇପାରିବେ। ଯଦି ଟିକସରେ ଏକ ଟଙ୍କା ହ୍ରାସ କରାଯିବ ତେବେ ସରକାରଙ୍କର ବର୍ଷକୁ ୧୩ ହଜାର କୋଟି ଟଙ୍କାର ରାଜସ୍ୱ ହାନି ହେବ। ଏଭଳି କ୍ଷତି ସହିବାକୁ କୌଣସି ସରକାର ଚାହିଁବେ ନାହିଁ।
ଜିଏସ୍ଟି ଲଗାଇପାରିବେ
ସରକାରଙ୍କ ପାଖରେ ଥିବା ଦ୍ୱିତୀୟ ବିକଳ୍ପଟି ହେଉଛି ପେଟ୍ରୋଲ ଓ ଡିଜେଲ୍କୁ ଜିଏସ୍ଟି ପରିସରରେ ସାମିଲ କରିପାରିବେ। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ଟଣାଓଟରା ଲାଗିଛି। କିନ୍ତୁ କେହି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁନାହାନ୍ତି। ଯଦି ଏକ ଲିଟର ପେଟ୍ରୋଲ୍ ଉପରେ ୧୮% ହାରରେ ଜିଏସ୍ଟି ଲାଗୁ କରାଯିବ ତେବେ ତାହାର ମୂଲ୍ୟ ୪୫ ଟଙ୍କା ୭୫ ପଇସା ଭଳି ସ୍ତରକୁ ଖସିଯିବ। ଏହା ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ଭାଗର ଟିକସ ହରାଇବେ। ୨୦୧୬-୧୭ରେ କେନ୍ଦ୍ର ଓ ରାଜ୍ୟ ମିଶି ତେଲ ଟିକସରୁ ୪ ଲକ୍ଷ ୬୩ ହଜାର କୋଟି ଟଙ୍କାର ଟିକସ ଆଦାୟ କରିଥିଲେ। ଜିଏସ୍ଟି ଲାଗୁ ଏହି ରାଜସ୍ୱ ପରିମାଣ ୨ ଲକ୍ଷ କୋଟି ଟଙ୍କା କମିଯିବ। ଯଦି ୨୮% ହାରରେ ଜିଏସ୍ଟି ଲାଗୁ କରାଯିବ ତେବେ ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚିତ ହେବାକୁ ପଡ଼ିବ। କାରଣ ପେଟ୍ରୋଲ୍ ଓ ଡିଜେଲ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ। ତେଣୁ ଏହା ଉପରେ ଉଚ୍ଚ ହାରର ଟିକସ ଲାଗୁ କରିବାର କୌଣସି ଯଥାର୍ଥତା ନାହିଁ।
ଓପେକ୍ ଉପରେ ଚାପ ପକାଇପାରିବେ
ତୃତୀୟ ବିକଳ୍ପଟି ହେଉଛି ଭୌଗଳିକ-ରାଜନୈତିକ ଶକ୍ତିର ବ୍ୟବହାର କରିବା। ଏସିଆର ତିନିଟି ଦେଶ ଭାରତ, ଚୀନ୍ ଓ ଜାପାନ ପ୍ରିମିୟମ ଦରରେ ତେଲ କିଣିଥାନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପ୍ରତି ବ୍ୟାରେଲ ପାଇଁ ଏହି ତିନି ରାଷ୍ଟ୍ର ୩-୮ ଡଲାର ପର୍ଯ୍ୟନ୍ତ ଅଧିକ ଗଣିଥାନ୍ତି। ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଦେଶମାନଙ୍କ ସମୂହ ଓପେକ୍ ପକ୍ଷରୁ ଏହି ତିନି ରାଷ୍ଟ୍ରଙ୍କୁ ‘ଏସିଆନ୍ ପ୍ରିମିୟମ୍’ ବୋଲି କୁହାଯାଉଛି। ଯଦି ଏହି ତିନି ରାଷ୍ଟ୍ର ଏକଜୁଟ ହୋଇ ୟୁରୋପୀୟ ଦେଶକୁ ଦିଆଯାଉଥିବା ଦରରେ ତେଲ କିଣିବାକୁ ଚାପ ପକାଇ ପାରିବେ ତେବେ ଅଶୋଧିତ ତେଲ ଦର ୮ ଡଲାର ପର୍ଯ୍ୟନ୍ତ କମ୍ ହୋଇପାରିବ। ଏହା ହେଲେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ ଦର କମିପାରିବ।
ତେଲ ଅଣାୟତ୍ତ
ଟିକସ କମାଅ,ଜିଏସ୍ଟି ଲଗାଅ
/sambad/media/post_attachments/wp-content/uploads/2018/05/petrol.jpg)