ନୂଆଦିଲ୍ଲୀ: ଦୀର୍ଘଦିନରୁ ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍ ଓ ଡିଜେଲ୍‌ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ, ତେବେ ଭାରତରେ ତେଲ ଦର କମ୍ ହୋଇପାରିବ ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଆସନ୍ତା ୨-୩ ମାସରେ ତେଲ ଶସ୍ତା ହେବାର ସମ୍ଭାବନା ରହିଛି ବୋଲି ସେ ଲୋକଙ୍କୁ ଆଶା ଦେଖାଇଛନ୍ତି।

Advertisment

ମନ୍ତ୍ରୀ କହିଛନ୍ତି ଯେ ସବୁ କିଛି ସ୍ଥିତି ଉପରେ ନିର୍ଭର କରୁଛି। ଯଦି କୌଣସି ଭୂରାଜନୈତିକ ସଙ୍କଟ ଦେଖାଦେବ ତେବେ ସ୍ଥିତି ବଦଳିଯାଇପାରେ। ଯେଉଁ ତେଲ ଦର ଏବେ ୬୫ ଡଲାର ପାଖାପାଖି ରହିଛି, ତାହାର ମୂଲ୍ୟ ୧୫୦ ଡଲାର ବି ହୋଇଯାଇପାରିବେ। ୬୫ ଡଲାର ସ୍ତରରେ ତେଲ ଥିବାରୁ ତେଲ କମ୍ପାନିଗୁଡ଼ିକ ଲାଭ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମ୍ କରି ଗ୍ରାହକଙ୍କୁ ଆବଶ୍ୟକ ଆଶ୍ବସ୍ତି ଦେଇପାରିବେ ବୋଲି ସେ କହିଛନ୍ତି। ରେଟିଂ ଏଜେନ୍ସି ସୂଚନା ଅନୁସାରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍ ଲିଟର ପିଛା ୧୨-୧୫ ଟଙ୍କା ଏବଂ ଡିଜେଲ୍ ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ଏହାସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ଧରି କମ୍ପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି। କିଛି ମାସ ପୂର୍ବେ ଦରହ୍ରାସର ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କାର ଉତ୍ପାଦନ ଶୁଳ୍କ ବଢ଼ାଇଦେବା ପରେ ସେହି ସମ୍ଭାବନା ବି ଦୂର ହୋଇଯାଇଥିଲା। 

ପୂର୍ବରୁ ତେଲ କମ୍ପାନିଗୁଡ଼ିକ ପ୍ରତିଦିନ ତେଲ ଦରରେ ସଂଶୋଧନ କରୁଥିଲେ। ହଠାତ୍‌ ସେହି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି। ଏନେଇ କୌଣସି ଘୋଷଣା ମଧ୍ୟ କରାଯାଇନାହିଁ। ତେଲ କମ୍ପାନିଗୁଡ଼ିକ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବିଚାରକୁ ନେଇ ତେଲ ଦର ସଂଶୋଧନ କରୁଥିଲେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍ ୧୦୦ ଟଙ୍କା ପାଖାପାଖି ରହିଥିବା ବେଳେ ଡିଜେଲ୍ ଦାମ୍ ୯୦ ଟଙ୍କା ଉପରେ ରହିଛି।