ତେଲ ଆହୁରି କନ୍ଦାଇବ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଇରାନ୍‌ ଉପରେ ପୁଣି ଥରେ ବ୍ୟାବସାୟିକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଆହୁରି ବୃଦ୍ଧି ପାଇଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦର ୭୭.୭୬ ଡଲାରରୁ ଅଧିକ ହୋଇଛି। ୟୁଏସ୍‌ େଓ୍ଵଷ୍ଟ୍‍ ଟେକ୍ସାସ୍‌ ମୂଲ୍ୟ ବ୍ୟାରେଲ ପିଛା ୭୧.୭୫ ଡଲାର ଟପିଯାଇଛି। ବିଶ୍ୱର ୪% ତେଲ ଚାହିଦା ଇରାନ ପୂରଣ କରୁଛି। ଏହା ଉପରେ ଆମେରିକା କଟକଣା ଲଗାଇଲେ ଯୋଗାଣ ପ୍ରଭାବିତ ହେବ ଓ ଦର ବଢ଼ିବ। ଭାରତ ଯେହେତୁ ଏହାର ଆବଶ୍ୟକତାର ୮୦% ତେଲ ଆମଦାନି କରୁଛି ତେଣୁ ଏହା ଗୁରୁତର ଭାବେ ପ୍ରଭାବିତ ହେବ। ଦେଶରେ ଲୋକମାନେ ଏବେ ପେଟ୍ରୋଲ୍‌ ଓ ଡିଜେଲ ଦର ଚଢ଼ା ଦରରେ ଖରିଦ କରୁଛନ୍ତି। ଊଭୟ ତେଲର ଦର ଲିଟର ପିଛା ୭୦ ଟଙ୍କାରୁ ଅଧିକ ରହିଛି। ଯଦି ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିବ ତେବେ ପେଟ୍ରୋଲ୍‌ ଓ ଡିଜେଲ ଦର ଆହୁରି ବୃଦ୍ଧି ପାଇବ। ଏହା ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବ। ଭାରତ ନିଜ ଆବଶ୍ୟକତାର ଏକ ନିର୍ଦିଷ୍ଟ ଭାଗ ଇରାନରୁ ଆମଦାନି କରୁଛି। ଆମେରିକା ପକ୍ଷରୁ ଇରାନ ଉପରେ କଟକଣା ଲଗାଯିବା ପରେ ଡଲାର ଦେଇ ଇରାନଠାରୁ ତେଲ କିଣିହେବ ନାହିଁ। ଏଭଳି ପରିସ୍ଥିତିରେ ଭାରତକୁ ଆମଦାନି ବନ୍ଦ କରିବାକୁ ପଡ଼ିବ ଅନ୍ୟଥା ଅନ୍ୟ କୌଣସି ମୁଦ୍ରା ଜରିଆରେ ପେମେଣ୍ଟ୍‌ କରିବାକୁ ପଡ଼ିବ। ଅତୀତରେ ଟଙ୍କାକୁ ପେମେଣ୍ଟ୍‌ ଆକାରରେ ପ୍ରଦାନ କରି ଇରାନଠାରୁ ଭାରତ ତେଲ କିଣୁଥିଲା। ଭାରତ ପାଖରେ ଏବେବି ସେହି ବିକଳ୍ପ ରହିଛି। କିନ୍ତୁ ତରବରିଆ ଭାବେ ଭାରତ କିଛି ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଅନ୍ୟ ପକ୍ଷରେ ଗୋଲ୍‌ଡମ୍ୟାଚ୍‌ ସାଚ୍‌ ପକ୍ଷରୁ ଆକଳନ କରାଯାଇଛି ଯେ କିଛି ଦିନ ଭିତରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୮୩ ଡଲାରରେ ପହଞ୍ଚିବ ଓ ଦର ସେହି ସ୍ତରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ। ଯଦି ଏହି ଆକଳନ ସତ ହେବ ତେବେ ଭାରତକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର