ପେଟ୍ରୋଲ୍‌କୁ ଟପିଲା ଡିଜେଲ୍‌

ତେଲ ଦରର ଦୁଇ ତୃତୀୟାଂଶ ଟିକସ, ଭୁବନେଶ୍ବରରେ ଡିଜେଲ୍ ୭୮ରୁ ଅଧିକ

ନୂଆଦିଲ୍ଲୀ: ପୂର୍ବରୁ ଯାହା କେବେ ଘଟିନଥିଲା ତାହା ଘଟିଛି। ଲୋକମାନେ ଏବେ କମ୍ ଦାମ୍‌ରେ ପେଟ୍ରୋଲ୍‌ କିଣୁଥିବା ବେଳେ ଡିଜେଲ୍ କିଣିବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଠାରୁ ଡିଜେଲ୍‌ ଦାମ୍ ଅଧିକ ହୋଇଯାଇଛି। ଗତ ୧୮ ଦିନ ଧରି ତେଲ ଦରରେ ହେଉଥିବା ବୃଦ୍ଧି ପ୍ରଭାବରେ ଡିଜେଲ ଦାମ୍‌ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୭୯ ଟଙ୍କା ୭୬ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ ୭୯ ଟଙ୍କା ୮୮ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ୮୬ ଟଙ୍କା ୫୪ ପଇସା ଥିବା ବେଳେ ଡିଜେଲ୍ ଦାମ୍ ୭୮ ଟଙ୍କା ୨୨ ପଇସା ରହିଛି।

ଭୁବନେଶ୍ବରରେ ବୁଧବାର (୨୪ ତାରିଖ) ପେଟ୍ରୋଲ୍‌ ଦାମ୍ ୮୦ ଟଙ୍କା ୩୨ ପଇସା ଓ ଡିଜେଲ୍ ଦାମ୍ ୭୮ ଟଙ୍କା ୬ ପଇସା ରହିଛି। ରାଜ୍ୟରେ ଡିଜେଲ୍ ଦାମ୍ ଆଜି ୭୮ ଟଙ୍କା ସ୍ତର ଅତିକ୍ରମ କରିଛି। ମଙ୍ଗଳବାର ଦିନ ଡିଜେଲ୍‌ ଦାମ୍ ୭୭ ଟଙ୍କା ୫୯ ପଇସା ଥିଲା। ଭୁବନେଶ୍ବରରେ କିନ୍ତୁ ପେଟ୍ରୋଲ୍ ଠାରୁ ଡିଜେଲ୍‌ ଦାମ୍ କମ୍ ରହିଛି। ଏହା ପୂର୍ବରୁ ୨୦୧୮ ଅକ୍ଟୋବର ୧୬ରେ ଦିଲ୍ଲୀରେ ଡିଜେଲ୍‌ ଦାମ୍ ୭୫ ଟଙ୍କା ୬୯ ପଇସା ଭଳି ଉଚ୍ଚ ସ୍ତରରେ ଥିଲା। ସେହି ମାସ ୪ ତାରିଖରେ ଡିଜେଲ୍ ଦାମ୍ ସର୍ବାଧିକ ୮୪ ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍‌ରେ ଦୁଇ ତୃତୀୟାଂଶ ଭାଗ ହେଉଛି ଟିକସ। ପେଟ୍ରୋଲ୍ ଲିଟର ଉପରେ ୫୦ ଟଙ୍କା ୬୯ ପଇସା ଓ ଡିଜେଲ୍‌ ଉପରେ ୪୯ ଟଙ୍କା ୪୩ ପଇସାର ଟିକସ ଲାଗୁ କରାଯାଇଛି। ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ଓ ରାଜ୍ୟ ସରକାର ୧୭ ଟଙ୍କା ୭୧ ପଇସାର ଟିକସ ଆଦାୟ କରୁଛନ୍ତି। ସେହିପରି, ଡିଜେଲ୍‌ରୁ କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଓ ରାଜ୍ୟ ସରକାର ୧୭ ଟଙ୍କା ୬୦ ପଇସାର ଟିକସ ଅସୁଲ କରୁଛନ୍ତି। ଗତ ମାର୍ଚ୍ଚରୁ ଦୁଇ ଥରରେ ପେଟ୍ରୋଲ୍‌ରେ ଟିକସ ପରିମାଣ ୧୩ ଟଙ୍କା ଓ ଡିଜେଲ୍‌ରେ ୧୬ ଟଙ୍କା ବଢ଼ିଛି। ସାଧାରଣତଃ, ପେଟ୍ରୋଲ୍ ତୁଳନାରେ ଡିଜେଲ୍‌ରେ କମ୍ ଟିକସ ଲଗାଯାଇଥାଏ। ସେଥିପାଇଁ ପେ‌ଟ୍ରୋଲ୍‌ ଠାରୁ ଡିଜେଲ୍ ଦାମ୍ ଲିଟର ପିଛା ୧୮-୨୦ ଟଙ୍କା ପର୍ଯ୍ୟନ୍ତ କମ୍ ରହୁଥିଲା। କିନ୍ତୁ ବିଗତ କିଛି ବର୍ଷ ଭିତରେ ନିୟମିତ ଭାବେ ଡିଜେଲ୍‌ ଉପରେ ଲଗାଯାଇଥିବା ଟିକସ ବୃଦ୍ଧି କରାଯିବାରୁ ଉଭୟ ତେଲର ଦାମ୍ ଭିତରେ ରହିଥିବା ତାରତମ୍ୟ କମ୍ ହେବାରେ ଲାଗିଛି। ନିକଟରେ ଦିଲ୍ଲୀ ସରକାର ଡିଜେଲ୍‌ ଉପରେ ଭାଟ୍‌କୁ ୧୬.୭୫%ରୁ ବଢ଼ାଇ ୩୦ ପ୍ରତିଶତ କରିଛନ୍ତି। ମୂଲ୍ୟାନୁପାତିକ ଟିକସ ହୋଇଥିବାରୁ ତେଲ କଂପାନିଗୁଡ଼ିକ ଖୁଚୁରା ଦାମ୍ ଯେତେ ଥର ବୃଦ୍ଧି କରୁଛନ୍ତି ଡିଜେଲ୍‌ ଦାମ୍‌ରେ ସେହି ଅନୁସାରେ ଭାଟ୍‌ ପରିମାଣ ବଢ଼ିବାରେ ଲାଗିଛି।

କରୋନା ସଙ୍କଟର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯିବାର ପରବର୍ତୀ ୮୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ୍‌ ଓ ଡିଜେଲ୍ ଦରରେ କୌଣସି ବୃଦ୍ଧି ଘଟିନଥିଲା। ଚଳିତ ମାସ ୭ରୁ ଦରବୃଦ୍ଧି ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ପ୍ରତିଦିନ ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ରେ ଦିନକୁ ହାରାହାରି ଭା‌ବେ ୫୦-୬୦ ପଇସାର ବୃଦ୍ଧି ହେଉଛି। ଆଜି ପେଟ୍ରୋଲ୍‌ ଦାମ୍ ବଢ଼ିନଥିବା ବେଳେ ଡିଜେଲ୍‌ ଦାମ୍‌ରେ ୪୮ ପଇସାର ବୃଦ୍ଧି ହୋଇଛି। ଗତ ୧୮ ଦିନରେ ଡିଜେଲ୍ ଦାମ୍ ୧୦ ଟଙ୍କା ୪୯ ପଇସା ବଢ଼ିଥିବା‌ ବେଳେ ପେଟ୍ରୋଲ୍‌ ଦରରେ ୮ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଛି। ଅତୀତରେ ୧୫ ଦିନରେ ଭିତରେ ତେଲ ଦରରେ ଏଭଳି ବୃଦ୍ଧି କେବେ ଦେଖିବାକୁ ମିଳିନଥିଲା। ୨୦୦୨ ଏପ୍ରିଲ୍ ପରଠାରୁ କେନ୍ଦ୍ର ସରକାର ତୈଳ ଦର ନିର୍ଧାରଣ ପ୍ରକ୍ରିୟାକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିଛନ୍ତି। ଏହା ପରେ ପ୍ରତି ୧୫ ଦିନରେ ଥରେ ତେଲ ଦର ସଂଶୋଧନ ହେଉଥିଲା। ମାତ୍ର ୨୦୧୭ ମେ’ ପରଠାରୁ ପ୍ରତିଦିନ ତେଲ ଦରରେ ପରିବର୍ତନ ବ୍ୟବସ୍ଥା ଲାଗୁ ହୋଇଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ ଦର ସଂଶୋଧନ କରାଯାଉଛି। ବର୍ତ୍ତମାନ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୪୦ ଡଲାରରୁ ଅଧିକ ରହିଥିବା ବେଳେ ଡଲାର ମୂଲ୍ୟ ୭୬ ଟଙ୍କାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର