‌ପେଟ୍ରୋଲ୍‌ ଦାମ୍ ୧୦୫, ଡିଜେଲ୍ ୯୫ ଟଙ୍କା ଟପିଲା

ନୂଆଦିଲ୍ଲୀ : ତେଲ କଂପାନିଗୁଡ଼ିକ ଶନିବାର ପାଇଁ ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍‌ରେ ପୁଣି ୮୦ ପଇସାର ବୃଦ୍ଧି କରିଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଭୁବନେଶ୍ବରରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୫ ଟଙ୍କା ଓ ଡିଜେଲ୍ ଦାମ୍ ୯୫ ଟଙ୍କାରୁ ଅଧିକ ହୋଇଛି। ଗତ ପାଞ୍ଚ ଦିନରେ ଚତୁର୍ଥ ଥର ଲାଗି ତେଲ ଦାମ୍ ବଢ଼ିଛି। ପ୍ରତି ଥର ୮୦ ପଇସା ଲେଖାଏଁ ଦରବୃଦ୍ଧି ହେଉଛି। ଚାରି ଥରରେ ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ୩ ଟଙ୍କା ୨୦ ପଇସା ବଢ଼ିଗଲାଣି। ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଚଳିତ ମାସ ୨୨ ତାରିଖରୁ ତେଲ ଦର ବୃଦ୍ଧି ଆରମ୍ଭ ହୋଇଥିଲା। ନିର୍ବାଚନ ପାଇଁ ଏହାର ପୂର୍ବ ଚାରି ମାସ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆଦୌଁ ବଢ଼ିନଥିଲା। କେବଳ ତେଲ ନୁହେଁ ଏଲ୍‌ପିଜି ମୂଲ୍ୟରେ ମଧ୍ୟ ୫୦ ଟଙ୍କାର ବୃଦ୍ଧି ହୋଇଥିବାରୁ ଓଡ଼ିଶାର କେତେକ ଜିଲ୍ଲାରେ ୧୪.୨ କେଜିଆ ସିଲିଣ୍ଡର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହୋଇଯାଇଛି। ସିଏନ୍‌ଜି ଓ ପାଇପ୍‌ ଗ୍ୟାସ୍‌ ଦାମ୍ ମଧ୍ୟ ଇତି ମଧ୍ୟରେ ବଢ଼ିଛି।

ସମ୍ବନ୍ଧିତ ଖବର