ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଓଡ଼ିଶାର କେଉଁ ସହରରେ ଦର କେତେ ଜାଣନ୍ତୁ

ଭୁବନେଶ୍ବର :   ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଜାରି ରହିଛି । ଦିନକୁ ଦିନ ନୂଆ ନୂଆ ଉଚ୍ଚତା ଛୁଇଁଚାଲିଛି ତେଲଦର । ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ୨୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।

ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୫.୭୦ ଓ ଡିଜେଲ ଲିଟର ପିଛା ଟ.୭୫.୮୮ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୬. ୩୮ ଓ ଡିଜେଲ ଟ. ୮୨.୬୮ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୪୨ ଓ ଡିଜେଲ ଟ.୮୭.୫୬ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୬.୯୭ ଓ ଡିଜେଲ ଟ. ୮୩.୨୭, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୩୭ ଓ ଡିଜେଲ ଟ.୮୨.୬୯ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲର ମୂଲ୍ୟ ଗତ କିଛି ଦିନ ହେଲା ବଢିଚାଲିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି ବୋଲି କୁହାଯାଉଛି । ତେବେ ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର  ହ୍ରାସ ପାଇଥିଲା, ସରକାର ଉତ୍ପାଦ ଶୁଳ୍କ ବଢାଇଦେଇଥିଲେ, କିନ୍ତୁ ଏବେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଛି, ପୁଣି ଥରେ ଶୁଳ୍କ ହ୍ରାସ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର