ପେଟ୍ରୋଲ, ଡିଜେଲ ଦର ୪ ମାସ ଧରି ଅପରିର୍ତ୍ତିତ ରହିବାରୁ ୧୯ ହଜାର କୋଟି କ୍ଷତି ସହିଲେ ତେଲ କମ୍ପାନି

ନୂଆଦିଲ୍ଲୀ : ପ୍ରାୟ ସାଢେ ୪ ମାସ ଧରି ଦେଶରେ ତେଲଦର ଅପରିବର୍ତ୍ତିତ ରହିବା କାରଣରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ପ୍ରାୟ ୧୯ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିସ୍ ଅଟକଳ କରିଛି ।

ଦେଶରେ ଗତ ବର୍ଷ ନଭେମ୍ବର ୪ ପରଠାରୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ତେଲଦର ଅପରିବର୍ତ୍ତିତ ଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲଦର ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ସେତେବେଳେ ଅଶୋଧିତ ତେଲ (ବ୍ରେଣ୍ଟକ୍ରୁଡ) ଦର ବ୍ୟାରେଲ ପିଛା ପ୍ରାୟ ୮୧ ଡଲାର ଥିବାବେଳେ ଏବେ ତାହା  ୧୧୯ ଡଲାରକୁ ବୃଦ୍ଧି ପାଇଛି । ବିଶେଷକରି ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଓ ରୁଷ ଉପରେ କଟକଣା ଲଗାଯିବା ପରେ ବିଶ୍ବରେ ତେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ମାର୍ଚ୍ଚ୍ ୨ୟ ସପ୍ତାହ ବେଳକୁ ଏହା ୧୪୦ ଡଲାର ନିକଟବର୍ତ୍ତୀ ହୋଇଥିଲା । ଭାରତୀୟ କ୍ରୁଡ ବାସ୍କେଟର ମୂଲ୍ୟ ବି ବ୍ୟାରେଲ ପିଛା ୧୧୫ ଡଲାର ରହିଛି ।

ଅନ୍ତର୍ଜାତୀୟ ବଜାରର ଦର ବୃଦ୍ଧି ସହ ଦେଶରେ ପେଟ୍ରୋଲ ,ଡିଜେଲ ଓ ଗ୍ୟାସ ଦର ନ ବଢିବାରୁ ତେଲ କମ୍ପାନିମାନେ କ୍ଷତି ସହିଛନ୍ତି । ଏବେ ତେଲଦର ବଢାଇ ଏହି କ୍ଷତି ଭରଣା ପାଇଁ ଉଦ୍ୟମ କରାଯାଉଛି । ଗତ ୨୨ ଓ ୨୩ ତାରିଖରେ ତେଲ କମ୍ପାନିମାନେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବୃଦ୍ଧି କରିଥିଲେ ।

 

 

ସମ୍ବନ୍ଧିତ ଖବର