ତେଲ ଦର କମିବା ଆଶା କମ୍‌

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ ଦରରେ ଯେଉଁ ବୃଦ୍ଧିର ଧାରା ଲାଗି ରହିଛି ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଦେଶର ବିଭିନ୍ନ ସହରରେ ପେଟ୍ରୋଲ୍‌ ମୂଲ୍ୟ ୮୦ ଟଙ୍କାରୁ ଅଧିକ ହୋଇଯାଇଥିବା ବେଳେ ମୁମ୍ବାଇରେ ତାହା ୯୦ ଟଙ୍କାରୁ ଅଧିକ ସ୍ତରରେ ରହିଛି। ଯଦି ଏହି ଧାରା ଲାଗି ରହିବ ତେବେ ପେଟ୍ରୋଲ୍‌ ଦର ଶୀଘ୍ର ୧୦୦ ଟଙ୍କା ସ୍ତର ଟପିଯିବ।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୨ ଡଲାର ହୋଇଯାଇଛି। ସେହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ମଧ୍ୟ ୭୨-୭୩ ଟଙ୍କା ସ୍ତରରେ ରହିଛି। ଏହା ଦ୍ୱାରା ତୈଳ ଆମଦାନି ପାଇଁ ଅଧିକ ଅର୍ଥ ଗଣିବାକୁ ପଡ଼ିବ। ମହଙ୍ଗା ଅଶୋଧିତ ତୈଳର ପ୍ରତିଫଳନ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ଦେଖିବାକୁ ମିଳିବ।ଗ୍ରାହକମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କର୍ଣ୍ଣାଟକ, ଆନ୍ଧ୍ର, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ କମ୍‌ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଟିକସ କମାଇବେ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିଥିବାରୁ ଟିକସ କମ୍‌ କରିବାକୁ ସରକାର ଚାହୁନାହାନ୍ତି। ଟିକସ କମାଇଲେ ରାଜସ୍ୱ ଆୟ କମିଯିବ। ସରକାରଙ୍କୁ ସେହି ଭୟ ଘାରିଛି।
୨୦୧୯ ବେଳକୁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୦ ଡଲାରରୁ ଅଧିକ ହୋଇଯିବ ବୋଲି ଏକ ପେଟ୍ରୋଲିୟମ୍‌ ସମ୍ମିଳନୀରେ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବଡ଼ଦିନ ବେଳକୁ ତେଲ ଦର ୯୦ ଡଲାର ଓ ନୂଆବର୍ଷ ବେଳକୁ ୧୦୦ ଡଲାର ହୋଇଯିବ ବୋଲି ସେମାନେ କହିଛନ୍ତି। ଯଦି ସେମାନଙ୍କ କଥା ସତ ହେବ ଓ ସରକାର ଟିକସ କମ୍‌ କରିବେନି ତେବେ ଗ୍ରାହକମାନଙ୍କୁ ପେଟ୍ରୋଲ୍‌ ଓ ଡିଜେଲ କିଣିବା ପାଇଁ ବହୁତ ଟଙ୍କା ଗଣିବାକୁ ପଡ଼ିବ।
ଆମେରିକା ପକ୍ଷରୁ ଇରାନ ଉପରେ ଲଗାଯାଇଥିବା କଟକଣା ଯୋଗୁ ତୈଳ ବଜାର ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଇରାନରୁ ତେଲ ରପ୍ତାନି ବନ୍ଦ ହୋଇଯିବା ପରେ ବଜାରରେ ତେଲର ଅଭାବ ଦେଖାଦେବ ଓ ତାହା ଦରବୃଦ୍ଧିର କାରଣ ହେବ। ଏହି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ତେଲ ଉତ୍ପାଦନ ବଢ଼ାଇବାକୁ ଆମେରିକା ପକ୍ଷରୁ ସାଉଦି ଆରବ ଓ ରୁଷିଆକୁ କୁହାଯାଇଥିଲା। ତେଲ ଦର ବଢ଼ାଇବାର କୌଣସି ଯୋଜନା ନାହିଁ ବୋଲି ଏହି ଦୁଇ ରାଷ୍ଟ୍ର ସ୍ପଷ୍ଟ କରିଦେଇଛନ୍ତି। ତେଣୁ ଆନ୍ତର୍ଜାତିକ ତୈଳ ବଜାରରେ ଆଗାମୀ ଦିନରେ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧିତ ଖବର