‌ପରିବାର ଖର୍ଚ୍ଚ ଉପରେ ତେଲ ଦର ଚାପ: ଚିନ୍ତା ବଢ଼ାଇଲା ମାସକର ଦରବୃଦ୍ଧି, ଲୋକମାନେ ମାପିଚୁପି ଖର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ହେଉଥିବା ବୃଦ୍ଧିକୁ ନେଇ ଭାରତୀୟ ପରିବାରଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ତେଲରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଲୋକମାନଙ୍କୁ ଅନ୍ୟାନ୍ୟ ଖର୍ଚ୍ଚ କମାଇବାକୁ ପଡ଼ୁଛି। କିଛି କାର୍ଯ୍ୟରେ ସେମାନଙ୍କୁ ଅଧିକ ଖର୍ଚ୍ଚ ନକରିବା ଲାଗି ସାଲିସ ମଧ୍ୟ କରିବାକୁ ପଡ଼ୁଛି। ଦେଶର ୧୦ଟି ବଡ଼ ସହରରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଲୋକାଲ୍‌ ସର୍କଲ୍‌ସ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଅଂଶଗ୍ରହଣ କରିଥିବା ପ୍ରାୟ ୬୦% ଲୋକ କହିଛନ୍ତି ଯେ ତୈଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ଉତ୍ସବ ସମୟରେ ମାପିଚୁପି ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ସର୍ଭେରେ ପ୍ରାୟ ୬୧,୦୦୦ ପରିବାର ଅଂଶଗ୍ରହଣ କରିଥିଲେ। କୋଭିଡ୍ ପ୍ରଭାବ ଦୂର ହୋଇଥିବାରୁ ଦୀପାବଳି ସମୟରେ ପ୍ରାୟ ୬୦% ପରିବାର ବିଭିନ୍ନ ସାମଗ୍ରୀ କିଣାକିଣି କରିବା ବିଷୟରେ ବିଚାର କରୁଥିବା କହିଛନ୍ତି। ଗତବର୍ଷ ଦୀପାବଳି ତୁଳନାରେ ଏଥର ଦୁଇ ଗୁଣା ଅଧିକ ପରିବାର ବ୍ୟୟ କରିବା ବିଷୟରେ ବିଚାର କରୁଛନ୍ତି। ଲୋକାଲ୍ ସର୍କଲ୍‌ସର ପ୍ରତିଷ୍ଠାତା ସଚ୍ଚିନ ଟାପାରିଆ କହିଛନ୍ତି ଯେ ଗତ ୩୦ ଦିନରେ ପେଟ୍ରୋଲ୍ ଓ ଡିଜେଲ୍ ‌ଦାମ୍‌ରେ ଯେଉଁଭଳି ବୃଦ୍ଧି ହୋଇଛି ତାହାକୁ ନେଇ ଅଧିକାଂଶ ପରିବାର ଚିନ୍ତା ପ୍ରକଟ କରିଛନ୍ତି। ଏହା ସେମାନଙ୍କ ଉତ୍ସବ ସମୟର ଖର୍ଚ୍ଚକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ପୁନେ, ଗୁରୁଗ୍ରାମ ଓ କୋଲକାତା ଭଳି ସହରରେ ଏହି ସର୍ଭେ କରାଯାଇଥିଲା। ବେଙ୍ଗାଲୁରୁ, ଚେନ୍ନାଇ, ଗୁରୁଗ୍ରାମ, କୋଲକାତା, ପୁନେ ଓ ଅହମ୍ମଦାବାଦର ବାସିନ୍ଦାମାନେ କହିଛନ୍ତି ଯେ ଖର୍ଚ୍ଚ କରିବା ବେଳେ ସେମାନେ ବଜେଟ୍‌କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଦିଲ୍ଲୀ, ମୁମ୍ବାଇ ଓ ନୋଏଡାବାସୀ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଉତ୍ସବ ସମୟରେ ଦୋକାନରୁ ସାମଗ୍ରୀ କିଣିବାକୁ ଅଧିକ ପସନ୍ଦ କରିବେ ବୋଲି ମୁମ୍ବାଇ ଓ କୋଲକାତାବାସୀ କହିଥିବା ବେଳେ ଅନ୍ୟ ସହରର ବାସିନ୍ଦାମାନେ କହିଛନ୍ତି ଯେ ସେମାନେ ଅନ୍‌ଲାଇନ୍‌ରେ ଜିନିଷ ବରାଦ କରିବେ। ଲୋକମାନେ ଏଥର ଦୀପାବଳିରେ ସ୍ମାର୍ଟଫୋନ୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ହ୍ବାଇଟ୍‌ ଗୁଡ୍‌ସ ଓ ଆପ୍ଲାଏନ୍‌ସେସ୍‌, ଘର ସାଜସଜ୍ଜା ସାମଗ୍ରୀ ଆଦି କିଣିବାକୁ ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର