କ୍ରମାଗତ ୧୦ମ ଦିନ ପାଇଁ ତେଲ ଦର କମିଲା, ଆଗକୁ ଆହୁରି କମିବ !

ନୂଆଦିଲ୍ଲୀ : କ୍ରମାଗତ ୧୦ମ ଦିନ ପାଇଁ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ ପେଟ୍ରୋଲ ଦର ୨୧ ପଇସା ଓ ଡିଜେଲ ଦର ୧୫ରୁ ୧୬ ପଇସା ହ୍ରାସ କରାଯିବା ବିଷୟ ଘୋଷଣା କରାଯାଇଛି । ତେବେ ଆଉ କିଛି ଦିନ ତେଳ ଦର ଏପରି ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି । କାରଣ ଚଳିତ ମାସରେ ହିଁ ଓପେକ ଦେଶ ତେଲ ଉତ୍ପାଦନ ବଢାଇବା ସଂପର୍କରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଏହି ନିଷ୍ପତ୍ତି ଚୂଡାନ୍ତ ହେଲେ ଦର ଆଉ କିଛି ହ୍ରାସ ପାଇବ ।

ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୪୨ ପଇସା ଓ ଡିଜେଲ ଦର ୬୮ ଟଙ୍କା ୫୮ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୨୪ ପଇସା ଓ ଡିଜେଲ ୭୩ ଟଙ୍କା ୦୨ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୨୩ ପଇସା ଓ ଡିଜେଲ ୭୩ ଟଙ୍କା ୫୨ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୭.୨୬ ଡଲାର ରହିଛି । ଗତ କାଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଦୀର୍ଘ ମିଆଦୀ ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନକୁ ଆସିବାର ଆଶା ରହିଛି ।

ସମ୍ବନ୍ଧିତ ଖବର