କ୍ରମାଗତ ୧୩ତମ ଦିନ ପାଇଁ କମିଲା ତେଲଦର, କାହିଁକି କମୁଛି ତେଲ ଦର ଜାଣନ୍ତୁ

ନୂଆଦିଲ୍ଲୀ : କ୍ରମାଗତ ୧୩ତମ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର (ଇଣ୍ଡିଆନ ବାସ୍କେଟ)ଦର ଅକ୍ଟୋବର ମାସ ଆରମ୍ଭରେ ବ୍ୟାରେଲ ପିଛା ୮୫ ଡଲାର ଥିବାବେଳେ ଏବେ ତାହା ୭୬.୧୧ ଡଲାରକୁ କମିଆସିଛି । ସେହିପରି ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲର ମାନଦଣ୍ଡ ଭାବେ ମନେକରାଯାଉଥିବା ବ୍ରେଣ୍ଟ କ୍ରୁଡ ଅଏଲର ଗତ ଏକ ମାସ ମଧ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅକ୍ଟୋବର ଆରମ୍ଭରେ ଏହା ବ୍ୟାରେଲ ପିଛା ୭୬.୪୧ ଡଲାର ଥିବାବେଳେ ଏବେ ତାହା ୬୬.୩୬ ଡଲାରକୁ ହ୍ରାସ ପାଇଛି ।

ଆଜି ପେଟ୍ରୋଲ ଦର ଲିଟର ପିଛା ୨୦-୨୧ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ୭-୮ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୫୫ ଓ ଡିଜେଲ ଦର ଲିଟର ପିଛା ଟ.୭୩.୭୮ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୪୦ ଓ ଡିଜେଲ ୭୯.୧୭ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର