କ୍ରମାଗତ ୪ର୍ଥ ଦିନ ପାଇଁ ବଢିଲା ତେଲଦର, ପେଟ୍ରୋଲ ୪୦ ପଇସା ଓ ଡିଜେଲ ୪୫ ପଇସା ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଆଜି ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା ଜଣାପଡ଼ିଛି ।

ଆଜି ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ଡିଜେଲ ଲିଟର ପିଛା ୪୫ ପଇସା ବୃଦ୍ଧି କରିଛନ୍ତି । ଗତ ୪ ଦିନ ହେଲା କ୍ରମାଗତଭାବେ ତେଲଦର ବଢିଚାଲିଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩ ଟଙ୍କା ୪୦ ପଇସା ଓ ଡିଜେଲ ଲିଟର ପିଛା ୭୧ ଟଙ୍କା ୬୨ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୭୩.୮୯ ଓ ଡିଜେଲ ଟ. ୬୯.୯୩ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୦.୬୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୨.୨୯ ଡଲାରକୁ ବୃଦ୍ଧି ପାଇଛି । ଗତ ଏପ୍ରିଲ ମାସରେ ଅଶୋଧିତ ତେଲ ଦର ଶୂନ ତଳକୁ ଖସିଯାଇଥିଲା । କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଓପେକ ଦେଶ ( ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ ସମୂହ) ଓ ଋଷିଆ ମଧ୍ୟରେ ସହମତି ପରେ ଅଶୋଧିତ ତେଲ ଦର ବଢିତାଲିଛି ।

ସମ୍ବନ୍ଧିତ ଖବର