କ୍ରମାଗତ ୭ମ ଦିନ ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର, ଭୁବନେଶ୍ୱରରେ ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ : କ୍ରମାଗତ ୭ମ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଶନିବାରଦିନ ତେଲ ମାର୍କେଟିଂ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୫୯ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି କରିଛନ୍ତି ।  ଏହାକୁ ମିଶାଇ ଗତ ୭ ଦିନରେ ପେଟ୍ରୋଲ ୩ ଟଙ୍କା ୯ ପଇସା ଓ ଡିଜେଲ ୪ ଟଙ୍କା ବୃଦ୍ଧି ପାଇଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୧୬ ପଇସା ଓ ଡିଜେଲ ଲିଟର ପିଛା ୭୩ ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୨ ଟଙ୍କା ୧୦ ପଇସା ଓ ଡିଜେଲ ୭୨ ଟଙ୍କା ୩ ପଇସା ରେ ପହଞ୍ଚିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୬୭ ଓ ଡିଜେଲ ଟ. ୭୧.୬୭ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା କୁହାଯାଉଛି ।

ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୩୮.୭୩ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୦.୬୬ ଡଲାରରେ ପହଞ୍ଚିଛି । ଗତ ଏପ୍ରିଲ ମାସରେ ଅଶୋଧିତ ତେଲ ଦର ଶୂନ ତଳକୁ ଖସିଯାଇଥିଲା । କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଓପେକ ଦେଶ ( ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ ସମୂହ) ଓ ଋଷିଆ ମଧ୍ୟରେ ସହମତି ପରେ ଅଶୋଧିତ ତେଲ ଦର ବଢିତାଲିଛି ।

ସମ୍ବନ୍ଧିତ ଖବର