ଜୁନ୍‌ରେ ୧୪ ଥର ବଢ଼ିଲାଣି ‌ତେଲ, ୧୧ ରାଜ୍ୟରେ ପେଟ୍ରୋଲ ୧୦୦ ଉପରେ

ରାଜସ୍ଥାନରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ଚଳିତମାସରେ ୧୪ ଦିନ ଏହି ଦୁଇ ଇନ୍ଧନ ଦର ବଢ଼ିଲାଣି। ଦର ବଢ଼ୁଥିବାରୁ ଦେଶର ୧୧ଟି ରାଜ୍ୟରେ ଏବେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଥିଛି। ଡିଜେଲ ଦର ମଧ୍ୟ ଓଡ଼ିଶା ସମତେ କେତେକ ରାଜ୍ୟରେ ୧୦୦ ଟଙ୍କା ଅତିକ୍ରମ କରିଯାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି। ଆଜିର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୮ ଟଙ୍କା ୧୧ ପଇସା ଏବଂ ଡିଜେଲ ଦର ୮୮ ଟଙ୍କା ୬୫ ପଇସା ରହିଛି। ଅନ୍ୟପକ୍ଷରେ ପେଟ୍ରୋଲ ଦର ମୁମ୍ବାଇରେ ୧୦୪ ଟଙ୍କା ୨୨ ପଇସା ଛୁଇଁଛି। ଦେଶର ଅଧିକାଂଶ ରାଜଧାନୀରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ବିହାର ରାଜଧାନୀ ପାଟନାରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ୧୪ ପଇସା ଥିବାବେଳେ କେରଳର ତିରୁଅନନ୍ତପୁରମରେ ଏହା ୧୦୦ ଟଙ୍କା ୦୯ ପଇସାରେ ବିକ୍ରି ହେଉଛି।

ଦେଶର ଯେଉଁସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି ସେଗୁଡ଼ିକ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, କେରଳ, ଓଡ଼ିଶା, ଲଦାଖ,ବିହାର, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀର। ସେହିଭଳି ଦେଶର ଯେଉଁସବୁ ପ୍ରମୁଖ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି ସେଗୁଡ଼ିକ ହେଲା ମୁମ୍ବାଇ, ଜୟପୁର, ଭୋପାଳ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ। ଏଥିସହିତ ରାଜସ୍ଥାନ ଏବଂ ଓଡ଼ିଶାର କେତେକ ସହରରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିସାରିଛି।

ରାଜସ୍ଥାନରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୩୦ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୮୫ ପଇସା ରହିଛି। ସେହିଭଳି ମଧ୍ୟପ୍ରଦୋର ରେୱା ଓ ଅନୁପୁରରେ ପେଟ୍ରୋଲ ଦର ଯଥାକ୍ରମେ ୧୦୮ ଟଙ୍କା ୫୬ ପଇସା ଏବଂ ୧୦୮ ଟଙ୍କା ୯୩ ପଇସା ରହିଛି। ଅନ୍ୟପକ୍ଷରେ ଏଠାରେ ଡିଜେଲ ଦର ଯଥାକ୍ରମେ ୯୯ ଟଙ୍କା ୪୩ ଏବଂ ୯୯ ଟଙ୍କା ୭୬ ପଇସା ଅଛି। ମହାରାଷ୍ଟ୍ରର ପାରଭନି ଜିଲ୍ଲାରେ ପେଟ୍ରୋଲ ଦର ୧୦୬ ଟଙ୍କା ୫୫ ପଇସା ଏବଂ ଡିଜେଲ ଦର ୯୬ ଟଙ୍କା ୯୨ ପଇସା ରହିଛି।

୨୬ ଦିନରେ ବଢ଼ିଛି ୪ଟଙ୍କାରୁ ଅଧିକ

ଭୁବନେଶ୍ବର: ଚଳିତମାସ ଆଜି ସୁଦ୍ଧା ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦର ୪ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ମେ ମାସ ଶେଷ ବେଳକୁ ପେଟ୍ରୋଲ ଦର ୯୪ ଟଙ୍କା ୬୬ ପଇସା ଥିଲା। କିନ୍ତୁ ଜୁନ୍ ୨୬ ତାରିଖରେ ଏହା ୯୮ ଟଙ୍କା ୮୯ ପଇସାରେ ପହଞ୍ଚି ଯାଇଛି। ଅର୍ଥାତ ଏହି ୨୬ ଦିନରେ ପେଟ୍ରୋଲ ଦର ଲିଟର ପିଛା ୪ ଟଙ୍କା ୨୩ ପଇସା ବଢ଼ିଛି। ସେହିଭଳି ଡିଜେଲ ଦର ଗତମାସ ଶେଷବେଳକୁ ୯୨ ଟଙ୍କା ୪୯ ପଇସା ରହିଥିଲା। କିନ୍ତୁ ୨୬ ତାରିଖରେ ଏହି ଦର ୯୬ ଟଙ୍କା ୬୨ ପଇସାରେ ପହଞ୍ଚିଛି। ଅର୍ଥାତ ଡିଜେଲ ମଧ୍ୟ ଲିଟର ପିଛା ୪ ଟଙ୍କା ୧୩ ପଇସା ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ଥିବା କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହୁଥିବା କୁହାଯାଉଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ଟିକସ ଆଦାୟ କରୁଥିବାରୁ ଦରରେ ଏଭଳି ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଆଜି ପେଟ୍ରୋଲର ଲିଟର ପିଛା ମୂଳ ଦର ୩୯ ଟଙ୍କା ୬୦ ପଇସା ରହିଛି। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଟିକସ ଆକାରରେ ୩୨ ଟଙ୍କା ୯୦ ପଇସା ଏବଂ ରାଜ୍ୟ ସରକାର ଭାଟ୍ ଆକାରରେ ୨୩ ଟଙ୍କା ୧୪ ପଇସା ଆଦାୟ କରୁଛନ୍ତି। ଏଥିସହିତ କମ୍ପାନି ଗୁଡ଼ିକ ଡିଲର କମିସନ ଆକାରରେ ୩ ଟଙ୍କା ୩୦ ପଇସା ପ୍ରଦାନ କରୁଛନ୍ତି। ଫଳରେ ଗ୍ରାହକଙ୍କୁ ଏକ ଲିଟର ପେଟ୍ରୋଲ କିଣିବା ଲାଗି ୯୮ ଟଙ୍କା ୯୪ ପଇସା ଗଣିବାକୁ ପଡ଼ୁଛି। ସେହିଭଳି ଡିଜେଲର ମୂଳ ଦର ୪୨ ଟଙ୍କା ୧୦ ପଇସା ରହିଥିବାବେଳେ କେନ୍ଦ୍ର ସରକାର ଏହା ଉପରେ ଉତ୍ପାଦ ଟିକସ ଆକାରରେ ୩୧ ଟଙ୍କା ୮୦ ପଇସା, ରାଜ୍ୟ ସରକାର ଭାଟ୍ ଆକାରରେ ୨୦ ଟଙ୍କା ୬୭ ପଇସା ଆଦାୟ କରୁଛନ୍ତି। ଏଥିସହିତ ଡିଲରମାନଙ୍କୁ କମିସନ ଆକାରରେ ୨ ଟଙ୍କା ୧୧ ପଇସା ମିଳୁଛି। ଫଳରେ ଗ୍ରାହକଙ୍କୁ ଗୋଟିଏ ଲିଟର ଡିଜେଲ କିଣିବା ଲାଗି ୯୬ ଟଙ୍କା ୬୮ ପଇସା ଦେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର