ନୂଆଦିଲ୍ଲୀ : ଗତ କିଛି ଦିନ ଧରି କ୍ରମାଗତଭାବେ ବଢିବା ପରେ ଶୁକ୍ରବାରଦିନ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ତେବେ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ରହିଛି । କାରଣ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି ।

Advertisment

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମନ୍ତ୍ରାଳୟ ତେଲ ଉପରେ ଲାଗୁ ଉତ୍ପାଦ ଶୁଳ୍କକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି । ସରକାର ଯଦି ମନ୍ତ୍ରାଳୟର ପ୍ରସ୍ତାବକୁ ମାନି ନିଅନ୍ତି, ତେବେ ପେଟ୍ରୋଲ ଓ ଡିଜେଲ ୫ ଟଙ୍କା ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ।

ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୮୬ ପଇସା ଏବଂ ଡିଜେଲ ୮୧ ଟଙ୍କା ୪ ପଇସା‌ରେ ବିକ୍ରି ହେଉଛି ।

ଗତବର୍ଷ ମେ’ ମାସରେ  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ଶୂନ ନିକଟବର୍ତ୍ତୀ ଥିବାବେଳେ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଓ ଅନ୍ୟାନ୍ୟ ଶୁଳ୍କ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ହଠାତ୍ ବଢ଼ାଇ ଦେଇଥିଲେ । ଏହାର କିଛିଦିନ ପରେ ରାଜ୍ୟ ସରକାରମାନେ ମଧ୍ୟ ଭାଟ୍‌ ବଢ଼ାଇଲେ। ଏଥିଯୋଗୁ ପେଟ୍ରୋଲ ଏବଂ ଡିଜେଲ ଆଉ ତଳସ୍ତରକୁ ଖସିପାରୁନାହିଁ । ଏକ ହିସାବ ଅନୁଯାୟୀ, ଦିଲ୍ଲୀରେ ଏବେ ପେଟ୍ରୋଲରେ ପାଖାପାଖି ୬୨ ପ୍ରତିଶତ ଏବଂ ଡିଜେଲରେ ପାଖାପାଖି ୫୭ ପ୍ରତିଶତ ଟିକସ ଆଦାୟ କରାଯାଉଛି ।