ଏପ୍ରିଲ ବେଳକୁ ତେଲ ଦର କମିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ବାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସ ବେଳକୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶମାନଙ୍କ ଦ୍ବାରା ଅଶୋଧିତ ତେଲ ଉତ୍ପାଦନ ହ୍ରାସ ଫଳରେ ବିଶ୍ବରେ ତେଲଦର ବୃଦ୍ଧି ପାଉଛି । କିନ୍ତୁ ତେଲ ଉତ୍ପାଦନ ବଢାଇବାକୁ ସେ ତେଲ ଉତ୍ପାଦନକାରୀ ଦେଶମାନଙ୍କୁ ଅନୁରୋଧ କରିଛନ୍ତି ।

ଭାରତ ବିଶ୍ବରେ ଏକ ପ୍ରମୁଖ ତେଲ ଗ୍ରାହକ ହୋଇଥିବାରୁ ତେଲ  ଉତ୍ପାଦନ ବଢାଇବାକୁ ଭାରତ ଋଷିଆ, କୁଏତ,କାତାର ପ୍ରଭୃତି ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଏଣୁ ଆଗାମୀ ଦିନରେ ତେଲଦର କମିବ ବୋଲି ସେ କହିଛନ୍ତି ।

ରବିବାର ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଏବେ ଲିଟର ପିଛା ୯୧ ଟଙ୍କା ୧୭ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ୮୧ଟଙ୍କା ୪୭ ପଇସାରେ ବିକ୍ରି ହେଉଛି ।

ଗତ ବର୍ଷ ଚାହିଦା ଅଭାବରୁ ଶୂନକୁ ଖସିଯାଇଥିବା ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୬୨ ଡଲାରକୁ ବୃଦ୍ଧି ପାଇଛି ।

 

ସମ୍ବନ୍ଧିତ ଖବର