ଅନ୍ତର୍ଜାତୀୟ ବଜାରରେ ଦ୍ରୁତ ଗତିରେ ଖସୁଛି ତେଲଦର, କିନ୍ତୁ ସେହି ଅନୁପାତରେ ଭାରତରେ କମାଉ ନାହାନ୍ତି ତେଲ କମ୍ପାନି

ନୂଆଦିଲ୍ଲୀ : ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ୧୦ ପଇସା କମିଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାର ଆଶଙ୍କା ରହିଛି ।

ଏବେ ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସକୁ ବିଚାରକୁ ନିଆଯାଉ । ଠିକ ମାସକ ତଳେ ବ୍ରେଣ୍ଟକ୍ରୁଡ ଅଏଲ ବ୍ୟାରେଲ ପିଛା ୮୧.୪୧ ଡଲାର ଥିବାବେଳେ ଏବେ ତାହା ୬୬ ଡଲାରକୁ ହ୍ରାସ ପାଇଛି । ସେହିପରି ଆମେରିକାର ଡବ୍ଲଟିଆଇ କ୍ରୁଡ ମାସକ ତଳେ ୭୧ ଡଲାର ଥିବାବେଳେ ଏବେ ତାହା ୫୬ ଡଲାରକୁ ହ୍ରାସ ପାଇଛି । ଇଣ୍ଡିଆନ ବାସ୍କେଟର ମୂଲ୍ୟ ନଭେମ୍ବର ୧ରେ ୮୦ ଡଲାର ଥିବାବେଳେ ଏବେ ତାହା ୬୭.୭ ଡଲାରକୁ ହ୍ରାସ ପାଇଛି ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୭.୨୮ ଓ ଡିଜେଲ ଦର ଲିଟର ପିଛା ଟ.୭୩.୦୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୬.୧୬ ଓ ଡିଜେଲ ୭୭.୩୬ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର