ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଏପ୍ରିଲ୍ ୨ରେ ପାଲଟା ଶୁଳ୍କ ଘୋଷଣା କରିବା ପରଠାରୁ ଭାରତ ଧୀରେ ଧୀରେ ଆମେରିକାରୁ ତେଲ କିଣା ବଢ଼ାଇଛି। ଇତି ମଧ୍ୟରେ ଏହା ଦୁଇ ଗୁଣା ଅଧିକ ତେଲ ଆମେରିକାରୁ ମଗାଇଥିବା ଜଣାପଡ଼ିଛି। ୨୦୨୪ର ଏପ୍ରିଲ୍-ଜୁନ୍ରେ ଆମେରିକାରୁ ଭାରତ ୧୫ ହଜାର କୋଟି ଟଙ୍କାର ତେଲ କିଣିଥିଲା। ଚଳିତ ବର୍ଷ ସେହି ତିନି ମାସରେ ୩୨ ହଜାର କୋଟି ଟଙ୍କାର ତେଲ ଆମେରିକାରୁ କିଣାଯାଇଛି। ଗତବର୍ଷର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ଆମେରିକାରୁ ଭାରତ ଦୈନିକ ୧.୮ ଲକ୍ଷ ବ୍ୟାରେଲ୍ ତେଲ ମଗାଉଥିଲା। ଚଳିତ ବର୍ଷ ସେହି ତିନି ମାସରେ ୨.୭୧ ଲକ୍ଷ ବ୍ୟାରେଲ୍ ତେଲ ମଗାଇଛି। କେବଳ ଜୁଲାଇରେ ଏହା ଆମେରିକାରୁ ୨୩ ପ୍ରତିଶତ ଅଧିକ ଅଶୋଧିତ ତେଲ କିଣିଛି। ଫଳରେ ଭାରତର ମୋଟ୍ ତୈଳ କ୍ରୟରେ ଆମେରିକାର ଭାଗ ୩ ପ୍ରତିଶତରୁ ବୃଦ୍ଧି ପାଇ ୮ ପ୍ରତିଶତ ହୋଇଛି।
୨୦୨୨ରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ଭାରତ ସର୍ବାଧିକ ତେଲ ରୁଷ୍ରୁ କିଣୁଛି। କିନ୍ତୁ ରୁଷ୍ ତେଲ କିଣିଲେ ଜରିମାନା ଲାଗିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଭାରତ ଏବେ ନିଜର ୪୦ ପ୍ରତିଶତ ତେଲ ରୁଷ୍ରୁ କିଣୁଛି। ଆମେରିକା ଚାପରେ ଯଦି ଭାରତ ରୁଷ୍ରୁ ତେଲ କିଣିବା ବନ୍ଦ କରିବ, ତେବେ ଏହାର ତେଲ କିଣିବା ଖର୍ଚ୍ଚ ୯୦୦-୧୧୦୦ କୋଟି ଡଲାର ବଢ଼ିଯିବ। ଭାରତ କିନ୍ତୁ ରୁଷ୍ରୁ ତେଲ କିଣା ବନ୍ଦ କରିବ ନାହିଁ ବୋଲି ଜଣାପଡ଼ିଛି। ରୁଷ୍ ତେଲ କିଣା ବନ୍ଦ କରିବା ଲାଗି ଭାରତ ସରକାର ତୈଳ କମ୍ପାନିଗୁଡ଼ିକୁ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ନିଜକୁ ସୁହାଇବା ଭଳି ସ୍ଥାନରୁ ତେଲ କିଣିବା ଲାଗି କମ୍ପାନିଗୁଡ଼ିକୁ ଅନୁମତି ଦିଆଯାଇଛି। ସେମାନେ ବ୍ୟବସାୟିକ ଲାଭକୁ ଦୃଷ୍ଟିରେ ରଖି ସେହି ନିଷ୍ପତ୍ତି ନେଉଛନ୍ତି।
ରୁଷ୍ ତେଲ ନ କିଣିବାକୁ ଆମେରିକା ଲଗାତାର ଚାପ ପକାଉଥିବା ବେଳେ ଭାରତ ସ୍ପଷ୍ଟ କରିଛି ଯେ ବଜାର ଓ ମୂଲ୍ୟକୁ ଦୃଷ୍ଟିରେ ରଖି ଏହା ତେଲ କିଣିବ। ରୁଷ୍ରୁ ତେଲ କିଣୁଥିବାରୁ ଆମେରିକା ଓ ୟୁରୋପୀ ସଂଘ ଭାରତ ଉପରେ ଖପ୍ପା ଅଛନ୍ତି। ଏହି ତେଲ କିଣା ବନ୍ଦ କଲେ, ଭାରତକୁ ପୁଣି ଥରେ ଅଧିକ ଦାମ୍ ଦେଇ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ତେଲ ମଗାଇବାକୁ ପଡ଼ିବ। ନିଜ ତୈଳ ଆମଦାନି ଖର୍ଚ୍ଚ ବଢ଼ାଇବାକୁ ଭାରତ ଚାହୁନାହିଁ।