ନୂଆଦିଲ୍ଲୀ: ରୁଷ୍ରୁ ତେଲ କିଣା ଜାରି ରଖିବ ଭାରତ। ରୁଷ୍ରୁ ଭାରତ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ନୂଆଦିଲ୍ଲୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଜରିମାନା ଭାବେ ଲଗାଇଛି। ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୁଷ୍ଠାରୁ ଭାରତର ତେଲ କିଣା ନେଇ ଭବିଷ୍ୟତ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ରୁଷ୍ର ତେଲ ହେଉ କିମ୍ବା ଅନ୍ୟ କିଛି ସାମଗ୍ରୀ, ଆମକୁ ମୂଲ୍ୟ, ପରିବହନ କିମ୍ବା ଅନ୍ୟାନ୍ୟ ଦୃଷ୍ଟିରୁ ଯାହା ସୁହାଇବ ତାହା ଆମେ କିଣିବୁ।
ଅଶୋଧିତ ତେଲ କ୍ରୟ ବାବଦରେ ବିପୁଳ ବୈଦେଶିକ ମୁଦ୍ରା ଆମକୁ ବ୍ୟୟ କରିବାକୁ ପଡ଼ୁଛି। ତେଣୁ ଆମକୁ ଯାହା ସବୁଠୁ ଭଲ ହେବ ତାହା ଆମେ କିଣିବୁ। ନିଃସନ୍ଦେହରେ ଆମେ ରୁଷ୍ ତେଲ କିଣିବୁ ବୋଲି ଅର୍ଥମନ୍ତ୍ରୀ ଆଜି ନ୍ୟୁଜ୍୧୮କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି। ରୁଷ୍ଠାରୁ ଭାରତ ତେଲ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରି ଆସୁଛନ୍ତି। ନିକଟରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ପିଟର ନାଭାରୋ ମଧ୍ୟ ଭାରତକୁ ସମାଲୋଚନା କରିଛନ୍ତି। ରୁଷ୍ଠାରୁ ଭାରତ ଶସ୍ତାରେ ତେଲ କିଣି ତାହାକୁ ବିଶୋଧନ କରି ବିଦେଶରେ ଚଢ଼ା ଦରରେ ବିକ୍ରି କରି ଏବାବଦରେ ଭଲ ଲାଭ କରୁଛି ବୋଲି କହିଥିଲେ।