ତୈଳ ସଚିବଙ୍କ ଅଜବ ଯୁକ୍ତି: ତେଲ ଦାମ୍ ଆହୁରି ବଢ଼ିବା କଥା

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧି ସମ୍ପର୍କରେ ପେଟ୍ରୋଲିୟମ୍ ସଚିବ ତରୁଣ କପୁର ଆଜି ଅଜବ ଯୁକ୍ତି କରିଛନ୍ତି। ସେ କହିଛନ୍ତି ଯେ ତେଲ ଦର ଆହୁରି ବଢ଼ିବା କଥା। କିନ୍ତୁ ତେଲ କଂପାନିଗୁଡ଼ିକ ଦାମ୍‌ କମ୍ ବଢ଼ାଉଛନ୍ତି। ଅଧିକାଂଶ ଚାପକୁ ସେମାନେ ନିଜେ ମୁଣ୍ଡ ଉପରକୁ ନେଉଛନ୍ତି। ସେଥିପାଇଁ ଗ୍ରାହକଙ୍କ ଉପରେ କମ୍ ଚାପ ପଡ଼ୁଛି। ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବାରୁ ଗ୍ରାହକମାନେ ‌ବେଶ ଚିନ୍ତିତ ଥିବା ବେଳେ ‌ପେଟ୍ରୋଲିୟମ୍ ସଚିବ ଏଭଳି ଯୁକ୍ତି ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି। ସେ କହିଛନ୍ତି ଯେ ତେଲକୁ ନେଇ ଆନ୍ତର୍ଜାତିକ ସ୍ତରରେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି ତାହା ଉପରେ ସରକାର ନଜର ରଖିଛନ୍ତି। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୮୭ ଡଲାରକୁ ବୃଦ୍ଧି ପାଇବା ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି। ଏଲ୍‌ପିଜିର ଉଦାହରଣ ଦେଇ ସେ କହିଛନ୍ତି ଯେ ଏଲ୍‌ପିଜି ଦାମ୍ ୬୬୫ ଡଲାରରୁ ବୃଦ୍ଧି ପାଇ ୭୯୭ ଡଲାରରେ ପହଞ୍ଚିଛି। କିନ୍ତୁ ଦେଶ ଭିତରେ ଏହାର ଦାମ୍ ସେହିଭଳି ଭାବେ ବଢ଼ିନାହିଁ। କଂପାନିଗୁଡ଼ିକ ନିଜ ଉପରକୁ ଅଧିକ ଚାପ ନେଉଥିବା ବେଳେ ଗ୍ରାହକଙ୍କ ଉପରକୁ କମ୍ ଛାଡ଼ୁଛନ୍ତି। ପ୍ରାକୃତିକ ଗ୍ୟାସ୍‌ ଦାମ୍‌ରେ ହୋଇଥିବା ୬୨% ବୃଦ୍ଧିକୁ ନେଇ ହେଉଥିବା ଚର୍ଚା ଅମୂଳକ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରାକୃତିକ ଗ୍ୟାସ୍‌ର ପ୍ରତି ନିୟୁତ ବ୍ରିଟିଶ ୟୁନିଟ୍‌ ଦାମ୍ ୧.୭୯ ଡଲାର ଥିଲା ଯାହା ବହୁତ କମ୍। ଦରବୃଦ୍ଧି ପରେ ତାହା ୨.୯ ଡଲାରରେ ପହଞ୍ଚିଛି। ଦଶନ୍ଧୀ ପୂର୍ବେ ଏହା ଠାରୁ ଅଧିକ ଦାମ୍‌ରେ ଅର୍ଥାତ ୪.୨ ଡଲାରରେ ଗ୍ୟାସ୍‌ ବିକ୍ରି ହେଉଥିଲା। ଏହା ତୁଳନାରେ ଦାମ୍ ଏବେବି କମ୍ ରହିଛି ବୋଲି ସେ କହିଛନ୍ତି। ବିଶ୍ବସ୍ତରରେ ଘଟୁଥିବା ଘଟଣା ତୁଳନାରେ ଭାରତରେ ସ୍ଥିତି ବେଶ ନିୟନ୍ତ୍ରଣ ମଧ୍ୟରେ ରହିଛି। ବ୍ରିଟେନ ଭଳି ବିକଶିତ ଦେଶରେ ପେଟ୍ରୋଲ୍ ପମ୍ପ୍ ସମ୍ପୂର୍ଣ୍ଣ ଫାଙ୍କା ହୋଇଯାଇଥିବା ଖବର ଆସିଥିଲା। କିନ୍ତୁ ଭାରତରେ ସେଭଳି ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି।

ପେଟ୍ରୋଲ୍ ଓ ଡିଜେଲ୍‌ ଦରବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ରବିବାର ମଧ୍ୟ ଜାରି ରହିଛି। ଏଥି ସହିତ ଏହି ଦୁଇ ପ୍ରକାର ଇନ୍ଧନ ମୂଲ୍ୟ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଆଜି ପେଟ୍ରୋଲ୍‌ ଦାମ୍ ୨୫ ପଇସା ଓ ଡିଜେଲ୍ ଦାମ୍ ୩୩ ପଇସା ବଢ଼ିଛି। ଫଳରେ ଭୁବନେଶ୍ବରରେ‌ ପେଟ୍ରୋଲ୍ ୧୦୩ ଟଙ୍କା ୨୮ ପଇସା ଓ ଡିଜେଲ୍ ୯୯ ଟଙ୍କାରେ ବିକ୍ରି ହୋଇଛି। ଏହା ହେଉଛି ପେଟ୍ରୋଲ୍ ଓ ଡିଜେଲ୍‌ର ସର୍ବାଧିକ ଦାମ୍। ପୂର୍ବରୁ ଏତେ ଅଧିକ ଦରରେ କେବେ ତେଲ ବିକ୍ରି ହୋଇନଥିଲା। ଗତ ୧୦ ଦିନ ଭିତରେ ୮ ଥର ତେଲ ଦାମ୍ ବଢ଼ିଛି। ଫଳରେ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଜିଲ୍ଲା ଓ ସହରରେ ଡିଜେଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଗତ ସେପ୍ଟେମ୍ବର ୨୪ରୁ ତେଲ ଦର ବୃଦ୍ଧି ଆରମ୍ଭ ହେବା ପରେ ଡିଜେଲ୍ ଦାମ୍ ୨ ଟଙ୍କା ୧୫ ପଇସା ଓ ପେଟ୍ରୋଲ୍‌ ମୂଲ୍ୟ ୧ ଟଙ୍କା ୨୫ ପଇସା ବଢ଼ିଛି।

ସମ୍ବନ୍ଧିତ ଖବର