ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସର୍ବଦା ଉଗ୍ରରୂପ ପ୍ରଦର୍ଶନ କରେ। କଥା କଥାରେ ଯୁଦ୍ଧ ଧମକ ଦିଏ। ମାତ୍ର ଜମ୍ମୁ ଓ କଶ୍ମୀର ସମ୍ପର୍କିତ ଧାରା ୩୭୦କୁ ଭାରତ ସରକାର ଉଚ୍ଛେଦ କରିବା ପରେ ମଧ୍ୟ ପାକିସ୍ତାନ ଚୁପ୍ ରହିଛି। ଏହାର ପଛର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ୁନଥିଲା। କିନ୍ତୁ, ଏବେ ଏଭଳି ଏକ ଖବର ମିଳିଛି ଯାହା ପାକିସ୍ତାନର ନରମ ସ୍ବଭାବ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତାହା ହେଉଛି ପାକିସ୍ତାନର ତେଲ ସଙ୍କଟ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ପାଖରେ ବହୁତ କମ୍ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ରହିଛି। ଦେଶରେ ଯେତିକି ତେଲ ରହିଛି ତାହା ୨୬ ଦିନରେ ଶେଷ ହୋଇଯିବ। ଯୁଦ୍ଧ କରିବାକୁ ହେଲେ ବିପୁଳ ପରିମାଣର ତେଲ ଦରକାର। ଯଦି ଦେଶରେ ଥିବା ତେଲକୁ ପାକିସ୍ତାନ ଯୁଦ୍ଧରେ ବ୍ୟବହାର କରିବ ତେବେ ସେହି ଦେଶରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବ।
ଏମିତିରେ ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି। ବିକାଶମୂଳକ କାର୍ଯ୍ୟ କରିବାକୁ ଏହା ପାଖରେ ପାଣ୍ଠି ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବନ୍ଧୁ ଦେଶଗୁଡ଼ିକୁ ଭ୍ରମଣ କରି ପାଣ୍ଠି ଯୋଗାଡ଼ କରୁଛନ୍ତି। ସେଭଳି ପରିସ୍ଥିତିରେ ଏହି ଦେଶ ଯୁଦ୍ଧ କରିବାକୁ ଆଦୌ ସକ୍ଷମ ନୁହେଁ। ବିଭିନ୍ନ କାରଣ ଯୋଗୁ ପାକିସ୍ତାନରେ ତେଲ ସଙ୍କଟ ଦେଖାଦେଇଛି। ସେଠାକାର ରାଜନୈତିକ ପାଣିପାଗ, ଗଲ୍ଫ ରାଷ୍ଟ୍ରଗୁଡ଼ିକରେ ସଙ୍କଟ, ଡଲାର ତୁଳନାରେ ପାକିସ୍ତାନ ମୁଦ୍ରାର ଅତ୍ୟନ୍ତ ଦୁର୍ବଳ ସ୍ଥିତି ଓ ଏହା ପାଖରେ ବହୁତ କମ୍ ପରିମାଣର ବିଦେଶୀ ମୁଦ୍ରା ରହିବା ତେଲ ସଙ୍କଟର କାରଣ ବୋଲି କୁହାଯାଉଛି।
ସାଧାରଣତଃ ପାକିସ୍ତାନ ୭୪ ଦିନର ଆବଶ୍ୟକତା ମେଣ୍ଟାଇବା ଭଳି ତେଲ ଗଚ୍ଛିତ ରଖିବାକୁ ଭଣ୍ଡାର ନିର୍ମାଣ କରିଛି। କିନ୍ତୁ ଏବେ ସେହି ସବୁ ଭଣ୍ଡାରରେ ମାତ୍ର ୨୬ ଦିନର ତେଲ ଅଛି। ତେଲ ଯୋଗାଣ ଓ ଚାହିଦାରେ ବଡ଼ ଧରଣର ଅନ୍ତର ରହିଛି। ପାକିସ୍ତାନର ରିଫାଇନାରିଗୁଡ଼ିକ ପାଖରେ ମଧ୍ୟ ଅଧିକ ତେଲ ନାହିଁ। ରିଫାଇନାରିଗୁଡ଼ିକର ମୋଟ କ୍ଷମତା ହେଉଛି ୮୦୭,୦୦୦ ମେଟ୍ରିକ୍ ଟନ୍। ମାତ୍ର, ସେମାନଙ୍କ ପାଖରେ ଏବେ ୩,୯୮,୦୦୦ ମେଟ୍ରିକ୍ ଟନ୍ର ତେଲ ରହିଛି। ସେମାନେ ନିଜ ସ୍ଥାପିତ କ୍ଷମତାର ମାତ୍ର ୪୯%କୁ ଉପଯୋଗ କରିପାରୁଛନ୍ତି। ପାକିସ୍ତାନ ପାଖରେ ବ୍ୟବହାର କରିହେବା ଭଳି ମାତ୍ର ୨୫୬,୦୦୦ ମେଟ୍ରିକ୍ ଟନ୍ ତେଲ ରହିଛି। ତାହାକୁ ଯଦି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ ତେବେ ୯ ଦିନର ଷ୍ଟକ୍ ଶେଷ ହୋଇଯିବ। ପାଖରେ ଅଧିକ ବିଦେଶୀ ମୁଦ୍ରା ନଥିବାରୁ ପାକିସ୍ତାନର ତେଲ କଂପାନିଗୁଡ଼ିକ ଅଶୋଧିତ ତେଲ ଆମଦାନି କମାଇ ଦେଇଛନ୍ତି। ଆନ୍ତର୍ଜାତିକ ବଜାରରେ ଡଲାର୍ ଦାମ୍ ବଢ଼ିଯାଇଥିବାରୁ ସେଠାକାର ତେଲ କଂପାନିଗୁଡ଼ିକ ଆମଦାନି କମ୍ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି।