ତେଲ ବିଗାଡ଼ିଲା ପରିବାର ବଜେଟ୍: ସ୍ବାସ୍ଥ୍ୟ ସେବା, ଗ୍ରୋସରିରେ ଖର୍ଚ୍ଚକାଟ ପାଇଁ ବାଧ୍ୟ

ମାସ ଶେଷ ଆଡ଼କୁ ପେଟ୍ରୋଲ୍‌ ଦାମ୍ କମିପାରେ

ନୂଆଦିଲ୍ଲୀ, ୧୩/୭: ପେଟ୍ରୋଲ୍ ଓ ଡିଜେଲ୍ ‌ମହଙ୍ଗା ହେବା ପରେ ଲୋକମାନେ ଅନ୍ୟାନ୍ୟ ଖର୍ଚ୍ଚ କମାଇବା ଆରମ୍ଭ କରିଛନ୍ତି। ସେମାନେ ଗ୍ରୋସରି, ସ୍ବାସ୍ଥ୍ୟ ସେବା ଓ ୟୁଟିଲିଟି ସେବା ଆଦିରେ କମ୍ ବ୍ୟୟ କରୁଛନ୍ତି ବୋଲି ଏସ୍‌ବିଆଇର ଏକ ରିପୋର୍ଟରେ କୁହାଯାଇଛି। ତେଲରୁ ଟିକସ କମ୍ କରିବା ଉପରେ ସରକାର ବିଚାର କରିବା ଦରକାର ବୋଲି ଏସ୍‌ବିଆଇର ଅର୍ଥନୀତିଜ୍ଞମାନେ କହିଛନ୍ତି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଧ୍ୟ ପେଟ୍ରୋଲ୍ ଦରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ଲୋକମାନଙ୍କ ମନରେ ବିଦ୍ରୋହ ସୃଷ୍ଟି କରିଛି ବୋଲି ସେ କହିଥିଲେ। ସାରା ଦେଶରେ ଏବେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରହିଛି। ଡିଜେଲ୍ ଦାମ୍ ମଧ୍ୟ ୧୦୦ ଟଙ୍କା ପାଖାପାଖି ରହିଛି। ଏହି ଦୁଇ ପ୍ରକାର ତେଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୬୦ ଟଙ୍କାର ଟିକସ ଅସୁଲ କରୁଛନ୍ତି। ଗତବର୍ଷ ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୩୦ ଡଲାର ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା ସରକାର ସେହି ସମୟରେ ଟିକସ ବଢ଼ାଇଥିଲେ। କିଛି ମାସ ଭିତରେ ଅଶୋଧିତ ତେଲ ଦାମ୍ ଦୁଇ ଗୁଣା ବଢ଼ିଥିଲେ ମଧ୍ୟ ସରକାର ଟିକସ କମ୍ କରୁନାହାନ୍ତି। ସେଥିପାଇଁ ଦାମ୍ ଉଚ୍ଚ ସ୍ତରରେ ରହିଛି।

ଟିକସ ହ୍ରାସ ପାଉ: ଏସ୍‌ବିଆଇ ରିପୋର୍ଟ

ଏସ୍‌ବିଆଇ ଏହାର ସଦ୍ୟତମ ରିପୋର୍ଟରେ ଜଣାଇଛି ଯେ ତେଲରେ ଅଧିକ ବ୍ୟୟ ହେଉଥିବାରୁ ଲୋକମାନେ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କମ୍ କରିଛନ୍ତି। କେବଳ ତେଲ ଖର୍ଚ୍ଚ ବାହାର କରିବା ଲାଗି ଲୋକମାନେ ଅନ୍ୟ ଖର୍ଚ୍ଚ କମ୍ କରୁଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୨୧ ମାର୍ଚ୍ଚରେ ତେଲ ଭଳି ଅଣ-ଇଚ୍ଛାଧୀନ ସାମଗ୍ରୀରେ ଖର୍ଚ୍ଚ ହାର ୬୫% ଥିଲା। ଜୁନ୍ ସୁଦ୍ଧା ତାହା ୭୫%କୁ ବୃଦ୍ଧି ପାଇଛି। ତେଲ ଦରବୃଦ୍ଧି ଦେଶରେ ଦରଦାମ୍ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। ତୈଳ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ହେଲେ ମୁଦ୍ରାସ୍ଫୀତିରେ ୦.୫% ବୃଦ୍ଧି ହୋଇଥାଏ ବୋଲି ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି। ତୁରନ୍ତ ‌ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ କମ୍ କରିବା ଲାଗି ଏଥିରେ ପ୍ରସ୍ତାବ ଦିଆଯାଇଛି। ଯଦି ଟିକସ କମ୍ କରାନଯିବ ତେବେ ଲୋକମାନେ ଅନ୍ୟାନ୍ୟ ଖର୍ଚ୍ଚ କମ୍ କରିବାକୁ ବାଧ୍ୟ ହେବେ। ଏହା ଦ୍ବାରା ଅନେକ ସାମଗ୍ରୀର ଚାହିଦା ହ୍ରାସ ପାଇବ ଯାହା ସୁଧାର ପଥରେ ଥିବା ଦେଶର ଅର୍ଥନୀତି ପାଇଁ ଆଦୌଁ ଭଲ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି।

ମାସ ଶେଷ ଆଡ଼କୁ ପେଟ୍ରୋଲ୍‌ ଦାମ୍ କମିପାରେ
ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍‌ରେ ସ୍ଥିରତା ଫେରୁଥିବାରୁ ଚଳିତ ମାସ ଶେଷ ଆଡ଼କୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଲୋକମାନେ ୧୦୦ ଟଙ୍କାରୁ ଅଧିକ ମୂଲ୍ୟ ଦେଇ ପେଟ୍ରୋଲ୍ କିଣୁଥିବାରୁ ବେଶ ଚିନ୍ତିତ ରହିଛନ୍ତି। ସେମାନଙ୍କ ପାଇଁ ଆଶ୍ବସ୍ତିର ବିଷୟ ହେଉଛି ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦାମ୍ ୭୫ ଡଲାରକୁ ହ୍ରାସ ପାଇଛି। ଗତ ମାସରେ ଏହି ଦର ୭୭ ଡଲାରକୁ ବୃଦ୍ଧି ପାଇଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଓ ଡଲାରର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ କଂପାନିଗୁଡ଼ିକ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ପରିବର୍ତ୍ତନ କରୁଛନ୍ତି। ଅଶୋଧିତ ତେଲ ମହଙ୍ଗା ହୋଇଥିବାରୁ ନିୟମିତ ବ୍ୟବଧାନରେ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ୁଛି। ବିଶ୍ବରେ ଅଧିକ ମାତ୍ରାରେ ବିକ୍ରି ହେଉଥିବା ଅଶୋଧିତ ତୈଳ ହେଉଛି ବ୍ରେଣ୍ଟ୍‌ କ୍ରୁଡ୍। ଗତ ସୋମବାର ଏହାର ବ୍ୟାରେଲ ପିଛା ଦର ୭୪ ଡଲାରକୁ ହ୍ରାସ ପାଇଥିଲା। ଭାରତ କିଣୁଥିବା ‌ତେଲ ଦାମ୍ ୭୩.୯୯ ଡଲାର ରହିଛି। ଜୁନ୍ ମାସରେ ଭାରତ କିଣିଥିବା ତେଲର ହାରାହାରି ବ୍ୟାରେଲ ପିଛା ଦାମ୍ ୭୧.୬୩ ଡଲାର ଥିଲା। ତେଲ ଉତ୍ପାଦନକୁ ସୀମିତ ରଖିବା ଲାଗି ଓପେକ୍ ରାଷ୍ଟ୍ର ସମୂହରେ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ବଜାରରେ ଅଧିକ ତେଲ ଉପଲବ୍ଧ ରହିବ ବୋଲି ବିଚାର କରାଯାଉଛି। ସେଥିପାଇଁ ତେଲ ଦାମ୍ କମୁଛି। ଭାରତରେ ତେଲ କଂପାନିଗୁଡ଼ିକ ପୂର୍ବ ୧୫ ଦିନର ଅଶୋଧିତ ତୈଳର ହାରାହାରି ମୂଲ୍ୟ ବିଚାରକୁ ନେଇ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ସଂଶୋଧନ କରୁଛନ୍ତି। ଯଦି ଆନ୍ତର୍ଜାତିକ ବଜାରରେ ତେଲ ଦର ହ୍ରାସ ପାଏ ତେବେ ଭାରତୀୟ ବଜାରରେ ତାହାର ପ୍ରଭାବ ଦେଖିବା ଲାଗି ୧୫ ଦିନ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର