ଦେଶରେ ତେଲ ଭଣ୍ଡାର କ୍ଷମତା ବଢ଼ିବ

ଚଣ୍ଡିଖୋଲ ଭଣ୍ଡାର ନିର୍ମାଣ ପାଇଁ ନିବେଶକ ଖୋଜୁଛନ୍ତି ସରକାର

ନୂଆଦିଲ୍ଲୀ: ଦେଶରେ ଅଶୋଧିତ ତେଲ ସଂରକ୍ଷଣ କ୍ଷମତା ବଢ଼ାଇବା ଯୋଜନା ସରକାର କରୁଛନ୍ତି। ଦେଶରେ ତେଲ ଦର ବୃଦ୍ଧି ପାଉଥିବାରୁ ତୈଳ ଭଣ୍ଡାର କ୍ଷମତା ବୃଦ୍ଧି ‌ଲାଗି ବିଚାର କରାଯାଉଛି। ମହଜୁଦ ରହୁଥିବା ଏହି ତେଲ ଭଣ୍ଡାରକୁ ଷ୍ଟ୍ରାଟେଜିକ ଅଏଲ ରିଜର୍ଭ (ଏସପିଆର) କୁହାଯାଇଥାଏ। ଭାରତରେ ଏବେ ୩ଟି ସ୍ଥାନରେ ତୈଳ ଭଣ୍ଡାର ରହିଛି। ଏଗୁଡ଼ିକରେ ପ୍ରାୟ ୫୩ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିବା କ୍ଷମତା ରହିଛି। ଏହି ତିନୋଟି ସ୍ଥାନ ମଧ୍ୟରୁ ବିଶାଖାପାଟଣାରେ ଗୋଟିଏ ଭଣ୍ଡାର ରହିଛି। ଏଥିରେ ୧୩.୩ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିଛି। ବ୍ୟାରେଲ ପିଛା ପ୍ରାୟ ୪୮ ଡଲାରରେ ଅଶୋଧିତ ତେଲ କିଣି ସରକାର ଏହି ଭଣ୍ଡାରକୁ ପୂରଣ କରିଥିଲେ। ଏତଦବ୍ୟତୀତ ‌ମାଙ୍ଗାଲୁରୁଠାରେ ଦୁଇଟି ଭୂତଳ ତୈଳ ଭଣ୍ଡାର ନିର୍ମାଣ ହୋଇଛି। ଏହି ଦୁଇଟି ଯାକ ଭଣ୍ଡାରରେ ୧୫ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିପାରିବ। ଏଥିରୁ ଗୋଟିଏ ୟୁନିଟରେ ତୈଳ ସମ୍ପୂର୍ଣ୍ଣ ମହଜୁଦ ରହିଛି। ଏହି ‌ଭଣ୍ଡାର ପାଇଁ ସରକାର ବ୍ୟାରେଲ ପିଛା ୫୫ ଡଲାରରୁ ୫୮ ଡଲାର ମଧ୍ୟରେ ଅଶୋଧିତ ତେଲ କିଣିଛନ୍ତି। ଦ୍ବିତୀୟ ୟୁନିଟରେ ଅଶୋଧିତ ତେଲ ସମ୍ପୂର୍ଣ୍ଣ ଭର୍ତ୍ତି କରାଯାଇନାହିଁ। ପ୍ରଥମ ପର୍ଯ୍ୟାୟରେ ସରକାର ଯେତିକି ତୈଳ ଗଚ୍ଛିତ ରଖିବା ସୁବିଧା ରଖିଛନ୍ତି ତାହା ୧୦ ଦିନ ପାଇଁ ଦେଶର ତୈଳ ଚାହିଦାକୁ ପୂରଣ କରିପାରିବ। ୨୦୧୬-୧୭ର ତେଲ ଖର୍ଚ୍ଚ ହିସାବରେ ଏହି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ସରକାର ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ଟି ତୈଳ ଭଣ୍ଡାର ନିର୍ମାଣ ଯୋଜନା ରଖିଛନ୍ତି। ଏହି ଦୁଇଟି ଯାକ ପ୍ରକଳ୍ପରେ ୬୫ ଲକ୍ଷ ଟନ ଅଶୋଧିତ ତୈଳ ମହଜୁଦ ରହିବ। ଏଥିରୁ ଗୋଟିଏ ଓଡ଼ିଶାର ଚଣ୍ଡିଖୋଲ ଏବଂ ଅନ୍ୟଟି କର୍ଣ୍ଣାଟକର ପାଦୁରଠାରେ ନିର୍ମାଣ ହେବ। ଏହି ଦୁଇଟି ପ୍ରକଳ୍ପ ନିର୍ମାଣ ହେଲେ ଦେଶର ଆଉ ୧୨ ଦିନ ପାଇଁ ତୈଳ ଆବଶ୍ୟକତାକୁ ମେଣ୍ଟାଇ ହେବ। ଦ୍ବିତୀୟ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ତୈଳ ଭଣ୍ଡାର ସରକାରୀ ଘରୋଇ ସହଭାଗିତାରେ ହେବ। ଏଥିପାଇଁ ସରକାର ନୂଆଦିଲ୍ଲୀ, ସିଙ୍ଗାପୁର ଏବଂ ଲଣ୍ଡନ ଆଦି ସ୍ଥାନରେ ରୋଡ ସୋ କରି ନିବେଶକମାନଙ୍କୁ ଆକର୍ଷିତ କରିବା ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର