ତେଲ ୧୦୦ ଡଲାର ତଳକୁ ଖସିବ: ଗହମ, ଓଟ୍‌ସ ରପ୍ତାନି ବନ୍ଦ କଲା ୟୁକ୍ରେନ

ଦୁଇ ସପ୍ତାହରେ ଦାମ୍ କମିବ: ବିପିସିଏଲ୍‌ ମୁଖ୍ୟ

ନୂଆଦିଲ୍ଲୀ: ରୁଷର ତେଲ ଓ ଗ୍ୟାସ୍‌ ଉପରେ ଆମେରିକା କଟକଣା ଲଗାଇବା ପରେ ଅଶୋଧିତ ତୈଳ ଦର ଆକାଶଛୁଆଁ ସ୍ତରକୁ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କରିଥିବା ପୂର୍ବାନୁମାନ ଭାରତୀୟ ଗ୍ରାହକଙ୍କ ମନରେ ଭୟ ସୃଷ୍ଟି କରିଛି। ସେହି ଭୟକୁ ଦୂର କରିବା ଲାଗି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍‌)ର ସିଏମ୍‌ଡି ଅରୁଣ କୁମାର ସିଂହ ଆଶ୍ବସ୍ତ କରିବା ଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ତୈଳ ଦରକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଆସନ୍ତା ଦୁଇ ସପ୍ତାହ ଭିତରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ତଳକୁ ହ୍ରାସ ପାଇବ। ଯୁଦ୍ଧ ଶେଷ ହେବା ପରେ ଦାମ୍ ୯୦ ଡଲାରକୁ ଖସିଯିବ ବୋଲି ସେ କହିଛନ୍ତି। ଯଦିଓ ଆମେରିକା ରୁଷର ତେଲ ଉପରେ କଟକଣା ଲଗାଇଛି, କିନ୍ତୁ ୟୁରୋପ ଓ ଅନ୍ୟ ଦେଶଗୁଡ଼ିକ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ରୁଷ ନିଜେ ତେଲ ବିକ୍ରି ବନ୍ଦ କଲେ ସମସ୍ୟା ଦେଖାଦେବ। କିନ୍ତୁ ରୁଷ ସେଭଳି ପଦକ୍ଷେପ ନେବାର କମ୍ ସମ୍ଭାବନା ରହିଥିବା ସେ କହିଛନ୍ତି।ଗତ ସୋମବାର ଅଶୋଧିତ ତୈଳ ଦର ୧୩୯ ଡଲାରରେ ପହଞ୍ଚିଯାଇଥିଲା। ଗତକାଲି ରୁଷ ଚେତାବନୀ ଦେଇ କହିଥିଲା ଯେ ଯଦି ଆମେରିକା କଟକଣା ଲଗାଇବ ତେବେ ତେଲ ଦାମ୍ ଖୁବ୍‌ଶୀଘ୍ର ୩୦୦ ଡଲାରକୁ ବୃଦ୍ଧି ପାଇବ। ଆଜି ଅଶୋଧିତ ତୈଳ ଦାମ୍ ୧୨୫ ଡଲାର ପାଖାପାଖି ଖସିଆସିଛି।

ଗହମ, ଓଟ୍‌ସ ରପ୍ତାନି ବନ୍ଦ କଲା ୟୁକ୍ରେନ
ନୂଆଦିଲ୍ଲୀ: ରୁଷର ଭୟଙ୍କର ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ ଗହମ, ଓଟ୍‌ସ ଓ ମିଲେଟ୍‌ ଉତ୍ପାଦଗୁଡ଼ିକର ରପ୍ତାନି ଉପରେ କଟକଣା ଲଗାଇଛି। ନିଜ ଦେଶର ଲୋକମାନଙ୍କ ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ସେଠାକାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚିନି, ପଶୁ ସମ୍ପଦ ଓ ମାଂସ ରପ୍ତାନିକୁ ମଧ୍ୟ ୟୁକ୍ରେନ ବନ୍ଦ କରିଛି। ୟୁକ୍ରେନର ଏଭଳି କଠୋର କଟକଣା ୟୁରୋପ, ଆଫ୍ରିକା ଓ ଏସିଆର ବିଭିନ୍ନ ଦେଶରେ ଗୁରୁତର ଖାଦ୍ୟ ଓ ଜୀବନଜୀବିକା ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି। କାରଣ ଏହି ଦେଶଗୁଡ଼ିକ କୃଷ୍ଣ ସାଗର ଅଞ୍ଚଳରୁ ଖାଦ୍ୟ ସାମଗ୍ରୀ ମଗାଉଥିଲେ। ଏହି ଅଞ୍ଚଳକୁ ଦୁନିଆର ଭାତ ହାଣ୍ଡି ବୋଲି କୁହାଯାଉଛି। ଉଭୟ ରୁଷ ଓ ୟୁକ୍ରେନ ମିଳିତ ଭାବେ ବିଶ୍ବର ଏକ ତୃତୀୟାଂଶ ଗହମ ଓ ବାର୍ଲି ଆବଶ୍ୟକତା ପୂରଣ କରୁଥିଲେ। ଏହି ଦୁଇ ଦେଶରୁ ଆସୁଥିବା ସାମଗ୍ରୀକୁ ପାଉଁରୁଟି, ନୁଡୁଲ୍‌ସ, ପଶୁ ଖାଦ୍ୟ ଆଦି ତିଆରି କରିବାରେ ବ୍ୟବହାର କରାଯାଉଥିଲା। ୟୁକ୍ରେନ୍ ସରକାର ଖାଦ୍ୟଶସ୍ୟ ରପ୍ତାନି ଉପରେ କଟକଣା ଲଗାଇଥିବାରୁ ବହୁ ଦେଶରେ ଇଜିପ୍ଟ ଓ ଲେବାନନ ଭଳି କ୍ଷୁଧା ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଖାଦ୍ୟଶସ୍ୟ ମୂଲ୍ୟ ୨୦୧୧ ପରେ ପ୍ରଥମ ଥର ଲାଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ରୁଷ ଛାଡ଼ିଲେ କୋଲାକୋଲା, ପେପ୍‌ସି
ଅନ୍ୟ ପକ୍ଷରେ, ବହୁ ଅନ୍ତର୍ଜାତୀୟ କଂପାନି ରୁଷରୁ ନିଜ କାରବାର ବନ୍ଦ କରି ବାହାରି ଆସୁଛନ୍ତି। ଏଭଳି କଂପାନିଗୁଡ଼ିକ ତାଲିକା ଲମ୍ବା ହେବାରେ ଲାଗିଛି। ଇତି ମଧ୍ୟରେ ମ୍ୟାକ୍‌ଡୋନାଲ୍ଡସ୍, କୋକାକୋଲା, ପେପ୍‌ସି, ଷ୍ଟାରବକ୍ସ, ୟୁନିଭର୍ସାଲ୍‌ ମ୍ୟୁଜିକ୍, ଆପଲ୍, ନେଟଫ୍ଲିକ୍ସ, ଜାରା, ମଦରକେୟାର, ଏଚ୍‌ଆଣ୍ଡ୍‌ଏମ୍‌, ଜାଗୁଆର ଲ୍ୟାଣ୍ଡରୋଭର, କେପିଏମଜି, ଇୱାଇ, ପିଡବ୍ଲୁସି ରୁଷରେ ସେମାନଙ୍କ କାରବାର ଓ ସେବା ବନ୍ଦ କରିଛନ୍ତି। ରୁଷର ବିମାନ, ବ୍ୟବସ‌ାୟ ଯାତ୍ରା ଉପରେ ମଧ୍ୟ ଆମେରିକା, ୟୁରୋପୀୟ ସଂଘ ଓ ବ୍ରିଟେନ କଟକଣା ଲଗାଇଛନ୍ତି। ଆନ୍ତର୍ଜାତିକ ଆର୍ଥିକ ବାର୍ତା ବ୍ୟବସ୍ଥା ସ୍ବିଫ୍‌ଟରୁ ମଧ୍ୟ ରୁଷକୁ ବାଦ ଦିଆଯାଇଛି। ରୁଷର ବ୍ୟାଙ୍କଗୁଡ଼ିକ ଉପରେ ବ୍ରିଟେନ କଟକଣା ଲଗାଇଛି।

ସମ୍ବନ୍ଧିତ ଖବର