ଲଞ୍ଚ ହେଲା ଓଲା କାର, ଥରେ ଚାର୍ଜ କଲେ ଯିବ ୫୦୦ କିଲୋମିଟର

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ସ୍କୁଟର ଜରିଆରେ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ଓଲା ଇଲେକ୍ଟ୍ରିକ୍ ଆଜି ଏହାର ଇଲେକ୍ଟ୍ରିକ କାର୍‌ ଲଞ୍ଚ କରିଛି | କାରର ଡିଜାଇନ୍ ଅନନ୍ୟ ହୋଇଥିବାବେଳେ ଓଲା ପକ୍ଷରୁ କୁହାଯାଇଛି ଯେ ଥରେ ଚାର୍ଜ କଲେ ଏହା ୫୦୦ କିଲୋମିଟର ଯାଇପାରିବ | କେବଳ ଏତିକି ନୁହେଁ, ଏହି କାରଟି ମାତ୍ର ଚାରି ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ବେଗ ଛୁଇଁପାରିବ ବୋଲି କମ୍ପାନୀ ଦାବି କରିଛି। ଲଞ୍ଚ ସମୟରେ ଏହି କାରର ଝଲକ ଦେଖିବାକୁ ମିଳିଥିବାବେଳେ ଏହି କାରର ଛାତ ସମ୍ପୂର୍ଣ୍ଣ କାଚ ହେବ | ଏହି କାରଟି ସ୍ପୋରଟି ଡିଜାଇନ ହୋଇଥିବାବେଳେ ଓଲା ଏହି କାର ସହିତ ଇଲେକ୍ଟ୍ରିକ କାର୍ ବଜାରରେ ଏକ ବଡ଼ ବାଜି ଖେଳିଛି |

ଏହି କାରର ବାବଦରେ କମ୍ପାନୀ ଦାବି କରିଛି ଯେ ଏହି କାର ଗୋଟିଏ ଚାର୍ଜରେ ୫୦୦ କିଲୋମିଟର ଚାଲିବ, ଯାହା ବର୍ତ୍ତମାନ ଭାରତରେ ଉପଲବ୍ଧ ଅନ୍ୟ ବୈଦ୍ୟୁତିକ କାର ତୁଳନାରେ ଅଧିକ ରହିଛି | ତେବେ ଏହି କାରକୁ କିଣିବା ପାଇଁ ଓଲାର ନିଜସ୍ୱ ୱେବସାଇଟ୍ olaelectric.com ମାଧ୍ୟମରେ ବୁକ କରାଯାଇପାରିବ | ଯଦିଓ ବର୍ତ୍ତମାନ, ଏହି ୱେବସାଇଟରେ କେବଳ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବାର ବିକଳ୍ପ ରହିଛି ଆଉ କିଛି ଦିନ ପରେ ଏହି ୱେବସାଇଟରେ ହିଁ ଜଣେ କାର ବୁକ କରିପାରିବେ |

ସୂଚନା ମିଳିଛି ଯେ ୨୦୨୪ ସୁଦ୍ଧା ଏହି କାର ବଜାରକୁ ଆସିଯିବ | ସୂଚନା ଥାଉ କି ଓଲା ଇଲେକ୍ଟ୍ରିକ କାର ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା ଟାଟା ମୋଟର୍ସ ନେକ୍ସନ୍ ଇଭି, ଟାଇଗର୍ ଇଭି, ଏମଜି ଜେଡଏସ ଇଭି, ହୁଣ୍ଡାଇ କୋନା ସହ ପ୍ରତିଦ୍ବନ୍ଦିତା କରିବ |

ସମ୍ବନ୍ଧିତ ଖବର