ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌, ୧ କିଲୋମିଟର ବାଟ ଯିବାକୁ ଲାଗିବ ୨୫ ପଇସା

ମୁମ୍ବାଇ: ଦୀପାବଳି ଅବସରରେ ଇଲେକ୍ଟ୍ରିକ୍‌ ଗାଡ଼ି କମ୍ପାନି ଓଲା ଇଲେକ୍ଟ୍ରିକ୍‌ ନିଜର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଓଲା ଏସ୍‌୧ ଏୟାର୍‌ ଲଞ୍ଚ୍‌ କରିଦେଇଛି। କମ୍ପାନିର ପ୍ରମୁଖ ଭାବେଶ ଅଗ୍ରୱାଲ୍‌ ଏହି ସ୍କୁଟର୍‌ର ଡିଟେଲ୍‌ ସେୟାର କରି କହିଛନ୍ତି ଯେ ଏହି ଗାଡ଼ି ୨୫ ପଇସା ଖର୍ଚ୍ଚରେ ୧ କିଲୋମିଟର୍‌ ଚାଲିବ।

ଓଲା ଏସ୍‌୧ ଏୟାରକୁ କମ୍ପାନିର ଫ୍ଲାଗ୍‌ସିପ୍‌ ପ୍ରଡକ୍ଟ ଓଲା ଏସ୍‌୧ ହିସାବରେ ହିଁ ତିଆରି କରାଯାଇଛି। କମ୍ପାନି ଓଲା ଏସ୍‌୧ ଏୟାର୍‌କୁ ୮୪,୯୯୯ ଟଙ୍କାରେ ଲଞ୍ଚ୍‌ କରିଛି।

ଦୀପାବଳି ଅବସରରେ ଅକ୍ଟୋବର ୨୪ରେ କମ୍ପାନି ପକ୍ଷରୁ ଏକ ଅଫର୍‌ ବି ରହିଛି। ଏହି ଦିନ ଗାଡ଼ିଟିକୁ କିଣିଲେ ଦେବାକୁ ପଡ଼ିବ ୭୯,୯୯୯ ଟଙ୍କା। କମ୍ପାନିର ଦାବି ହେଉଛି ଓଲା ଏସ୍‌୧ ଏୟାର୍‌କୁ ଥରୁଟିଏ ଚାର୍ଜ କଲେ ୧୦୧ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଚାଲିବ। ଏହାର ଟପ୍‌ ସ୍ପିଡ୍‌ ବି ଘଣ୍ଟାକୁ ୯୦ କିଲୋମିଟର ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏହି ସ୍କୁଟରର ଓଜନ ୯୯ କିଲୋ। କମ୍ପାନି ଏଥିରେ ୪.୫ କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ଦେଇଛି। ଏଥିରେ ବ୍ୟାଟେରି ରହିଛି ୨.୫କେଡବ୍ଲୁଏଚ୍‌। ଏହ ସ୍କୁଟର୍‌ରେ ୩ଟି ରାଇଡ୍‌ ମୋଡ୍‌ ରହିଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଅଗ୍ରଣୀ ମୋଟର ବାଇକ୍‌ ନିର୍ମାଣକାରୀ ସଂସ୍ଥା ହିରୋ ମୋଟର୍‌କର୍ପର ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ବାହାରିଥିଲା। କମ୍ପାନି ନିଜର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଭିଡା ଭି୧ ଲଞ୍ଚ୍‌ କରିସାରିଛି। ହିରୋ ମୋଟର୍‌କର୍ପ ତା’ର ଇଲେକ୍ଟ୍ରିକ୍‌ ଗାଡ଼ି ଭିଡା ଭି୧ର ୨ଟି ଭାରିଆଣ୍ଟ୍‌ ଲଞ୍ଚ୍‌ କରିଛି। ଗୋଟିଏ ହେଉଛି ଭିଡା ଭି୧ ପ୍ରୋ ଓ ଅନ୍ୟଟି ହେଉଛି ଭିଡା ଭି୧ ପ୍ଲସ୍‌।

 

ସମ୍ବନ୍ଧିତ ଖବର