ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କଲା ଓଲା

ବାଙ୍ଗାଲୁରୁ : ଓଲା ଇଲେକ୍ଟ୍ରିକ  ଭାରତୀୟ ବଜାରରେ ନିଜର ବହୁପ୍ରତୀକ୍ଷିତ ଇଲେକ୍ଟ୍ରିକ ସ୍କୁଟର ଏସ-୧ ଓ ଏସ-୧ ପ୍ରୋ ଲଞ୍ଚ୍ କରିଛି । ଏସ-୧ର ମୂଲ୍ୟ ୯୯,୯୯୯ ଟଙ୍କା ଓ ଏସ-୧ ପ୍ରୋର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି ।

ଆସନ୍ତା ସେପ୍ଟେମ୍ବର ୮ ରୁ ଓଲା ଇ-ସ୍କୁଟର ବିକ୍ରି ପାଇଁ ଉପଲବ୍ଧ ହେବ ଏବଂ ଏହା ଭାରତର ୧୦୦୦ ସହରରେ ଉପଲବ୍ଧ ହେବ । ଅକ୍ଟୋବର ୨୦୨୧ ରୁ ଏଗୁଡିକର ବିତରଣ ଆରମ୍ଭ ହେବ । ସମସ୍ତ ଓଲା ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ଗ୍ରାହକଙ୍କ ଘରେ ପହଂଚାଯିବ । ଦକ୍ଷତା, ରେଞ୍ଜ୍, ବେଗ ଏବଂ ରଙ୍ଗ ଦୃଷ୍ଟିରୁ ଉଭୟ ମଡେଲ ମଧ୍ୟରେ ଫରକ ରହିବ । ଓଲା ଏସ-୧ ପାଞ୍ଚଟି ରଙ୍ଗରେ ଉପଲବ୍ଧ ଥିବାବେଳେ ଏସ-୧ ପ୍ରୋ ଦଶଟି ରଂଗରେ ଉପଲବ୍ଧ ହେବ । ଏସ-୧ ପ୍ରୋରେ ଭଏସ୍ କଣ୍ଟ୍ରୋଲ୍, ହିଲ୍ ହୋଲ୍ଡ ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ପରି ଅତିରିକ୍ତ ଫିଚର ମଧ୍ୟ ରହିଛି ।

ଓଲା ଏସ-୧ ଘଣ୍ଟାପ୍ରତି ୯୦ କିଲୋମିଟର ସର୍ବୋଚ୍ଚ ବେଗ ଓ ଥରେ ଚାର୍ଜ କଲେ ୧୨୧ କିଲୋମିଟର ଯାଇପାରିବ । ଏହାର ଦୁଇଟି ରାଇଡିଂ ମୋଡ୍ ରହିଛି – ସାଧାରଣ ଓ ସ୍ପୋର୍ଟସ । ଓଲା ଏସ-୧ ପ୍ରୋ ଘଣ୍ଟାପ୍ରତି ୧୧୫ କିଲୋମିଟର ସର୍ବୋଚ୍ଚ ବେଗ ଓ ଥରେ ଚାର୍ଜ କଲେ ୧୮୧ କିଲୋମିଟର ଯାଇପାରିବ । ଏହାର ତିନୋଟି ରାଇଡିଂ ମୋଡ୍ ରହିଛି – ସାଧାରଣ, ସ୍ପୋର୍ଟସ ଏବଂ ହାଇପର ।

 

ସମ୍ବନ୍ଧିତ ଖବର