୧୦ ମିନିଟରେ ଘରେ ଖାଦ୍ୟ ପହଞ୍ଚାଇବ ଓଲା

ନୂଆଦିଲ୍ଲୀ: ବର୍ତମାନ ସମୟରେ ଖାଦ୍ୟ ବିତରଣକାରୀ ସଂସ୍ଥାଙ୍କ ଭିତରେ ପ୍ରତିଯୋଗିତା  ଖୁବ୍ ତୀବ୍ର ହେବାରେ ଲାଗିଛି । ଜୋମ‌ାଟୋ ପରେ ଏବେ କ୍ୟାବ୍ କମ୍ପାନି   ‘ଓଲା’ ୧୦ ମିନିଟରେ ଆପଣଙ୍କ ଘରେ ଖାଦ୍ୟ ପହଞ୍ଚାଇବା ସେବା ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ଖାଦ୍ୟ ବିତରଣ କମ୍ଫାନୀ ଜମାଟୋ ଏହି ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ସ୍ୱିଗି ମଧ୍ୟ ତ୍ବରିତ ସେବା ପାଇଁ ଆଗେଇ ଆସିଛି ।

ଓଲା ପକ୍ଷରୁ ଏହି ସେବା ପରୀକ୍ଷାମୂଳକ ଭାବେ ବେଙ୍ଗାଲୁରୁରେ ଆରମ୍ଭ କରାଯାଉଛି। ଅତି ଶୀଘ୍ର ଖାଦ୍ୟ ବିତରଣ ପାଇଁ କମ୍ଫାନୀ ଏହାର ଗ୍ରୋସରି ବିତରଣ ସେବା “ଓଲା ଡ୍ୟାସ’’ର  ବ୍ୟବହାର କରୁଛି । ଏହି ସେବାର ମେନୁରେ ସୀମିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଥିବା ଜଣାପଡିଛି ।

ଓଲା ଏହାର ୧୦ ମିନିଟ୍  ଖାଦ୍ୟ ବିତରଣ ସେବାରେ ଖେଚୁଡି ,ପିଜା ଓ ରୋଲ ପରି ଖାଦ୍ୟ ସାମଗ୍ରୀ  ଅନ୍ତର୍ଭୁକ୍ତ କରିଛି । ଏହାର ଖାଦ୍ୟ ମଧ୍ୟ ସତେଜ ହେବ ବୋଲି କମ୍ପାନି ଦାବି  କରିଛି । କିଛି  ବର୍ଷ ପୂର୍ବେ ଓଲା ଖାଦ୍ୟ ବିତରଣ କମ୍ଫାନି “ଫୁଡପାଂଡା’’କୁ ଅଧିଗ୍ରହଣ କରିଥିଲା।  ଏହା ବ୍ୟତୀତ ଓଲା ଫୁଡସ୍ ଅଧୀନରେ “ଖିଚିଡି ଏକ୍ସପେରିମେଂଟ”, “ପରାଠା ଏକ୍ସପେରିମେଂଟ”, “ବିରିୟାନୀ ଏକ୍ସପେରିମେଂଟ” ଏବଂ “ନାସ୍ତା ଏକ୍ସପେରିମେଂଟ” ଭଳି ଖାଦ୍ୟ ପ୍ରସ୍ତୁତି ସଂସ୍ଥାକୁ ମଧ୍ୟ ପରିଚାଳନା କରୁଥିଲା ଓଲା ।  ଖାଦ୍ୟ ବିତରଣ କମ୍ଫାନିଗୁଡିକ  ସମୟ ଉପରେ ଧ୍ୟାନ ଦେଉଥିଲେ ମଧ୍ୟ ସେମାନଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ବର୍ତମାନ ଏହାଦ୍ୱାରା ଲୋକମାନଙ୍କୁ ଅନେକ ସୁବିଧା ହେବ ବୋଲି ଓଲା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର