ଓଲା ୧,୪୪୧ ଇଲେକ୍ଟ୍ରିକ୍ ସ୍କୁଟର ରିକଲ୍‌ କରିବ

ନୂଆଦିଲ୍ଲୀ: ଦୁଇଚକିଆ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରି ଫାଟିବା ଓ ନିଆଁ ଲାଗିବା ଭଳି ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଥିବା ବେଳେ ତ୍ରୁଟି ଥିବା ଗାଡ଼ିକୁ ସ୍ବେଚ୍ଛାକୃତ ଭାବେ ରିକଲ୍ କରିବାକୁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ଓଲା ଇଲେକ୍ଟ୍ରିକ୍ ପକ୍ଷରୁ ୧୪୪୧ ସ୍କୁଟରକୁ ରିକଲ୍‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କଂପାନି ଏହି ସ୍କୁଟରଗୁଡ଼ିକକୁ ଭଲ ଭାବେ ଯାଞ୍ଚ କରିବ ପୁଣି ଗ୍ରାହକଙ୍କୁ ଫେରାଇବ। କଂପାନିର ଏସ୍‌୧ ପ୍ରୋ ମଡେଲ୍‌ର ଏକ ସ୍କୁଟରରେ ଗତ ମାର୍ଚ୍ଚ ୨୬ରେ ନିଆଁ ଲାଗିଥିଲା। ସେହି ଘଟଣାକୁ ନେଇ କଂପାନି ନିଜ ଆଡ଼ୁ ଯେଉଁ ତଦନ୍ତ ଆରମ୍ଭ କରିଛି ତାହା ଶେଷ ହୋଇନଥିବା ବେଳେ ଏତେ ଅଧିକ ସ୍କୁଟରକୁ ରିକଲ୍ କରିବାକୁ କଂପାନି ନିଷ୍ପତ୍ତି ନେଇଛି।
ଓଲା ହେଉଛି ତୃତୀୟ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଯାହା ନିଜର ଗାଡ଼ି ରିକଲ୍‌ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଓକିନାୱା ଓ ପ୍ୟୁର୍ ଇଭି ନାମକ ସଂସ୍ଥା ଯଥାକ୍ରମେ ୩,୦୦୦ ଓ ୨,୦୦୦ ଗାଡ଼ିକୁ ରିକଲ୍‌ କରିସାରିଛନ୍ତି। ଓଲା ଇଲେକ୍ଟ୍ରିକ୍ ଯେଉଁ ସ୍କୁଟରଗୁଡ଼ିକ ରିକଲ୍ କରିବ ତାହାକୁ କଂପାନିର ସର୍ଭିସ୍ ଇଞ୍ଜିନିୟରମାନେ ଭଲ ଭାବେ ଯାଞ୍ଚ କରିବେ। ବ୍ୟାଟେରି ବ୍ୟବସ୍ଥା, ତାପଜ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ କଂପାନି ଭଲ ଭାବେ ଯାଞ୍ଚ କରିବ।

କଂପାନି ଇଲେକ୍ଟ୍ରିକ୍ ଯାନରେ ବିଶ୍ବସ୍ତରୀୟ ସୁରକ୍ଷା ଲାଗି ପ୍ରତିବଦ୍ଧ ରହିଛି ବୋଲି ଓଲା ପକ୍ଷରୁ କୁହାଯାଇଛି। ବ୍ୟାଟେରି ପାଇଁ ଭାରତ ସରକାର ଯେଉଁ ମାନଦଣ୍ଡ ନିର୍ଧାରଣ କରିଛନ୍ତି ତାହାକୁ କଂପାନି ପାଳନ କରୁଥିବା କହିଛି। ଗତ କିଛି ସପ୍ତାହ ଭିତରେ ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିବା ଜନିତ ଦୁର୍ଘଟଣାର ବହୁ ଖବର ସାମ୍ନାକୁ ଆସିଛି। ତେଲେଙ୍ଗାନାରେ ଏକ ଘରେ ବ୍ୟାଟେରି ଚାର୍ଜରେ ବସିଥିବା ବେଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ। ବିଜୟୱାଡା‌ରେ ବ୍ରୁମ୍ ମୋଟର୍ଦର ଏକ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରି ଫାଟିଯିବାରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହିଭଳି ଘଟଣାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଚିନ୍ତା ପ୍ରକଟ କରିବା ସହ ସ୍ବଚ୍ଛାକୃତ ଭାବେ ଗାଡ଼ି ରିକଲ୍‌ କରିବାକୁ କଂପାନିଗୁଡ଼ିକୁ କହିଥିଲେ। ଏଥି ସହିତ ଚେତାବନୀ ଦେଇ ଜଣାଇଥିଲେ ଯେ କଂପାନିର ଅବହେଳା ଯୋଗୁଁ ଦୁର୍ଘଟଣା ଘଟୁଥିବା ଯଦି ପ୍ରମାଣ ହୋଇଯିବ ତେବେ ସେହି କଂପାନିଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ।

ସମ୍ବନ୍ଧିତ ଖବର