ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଚଳନରେ ଥିବା ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରି ନିଆଯାଇପାରେ। ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍ ବେଳକୁ ଏହି ନୋଟ୍ଗୁଡ଼ିକୁ ହଟାଇ ଦିଆଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଉଛି। ରିଜର୍ଭ ବ୍ୟାଙ୍କର ଏଜିଏମ୍ ବି ମହେଶଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ନୋଟ୍ ପ୍ରତ୍ୟାହାର ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଧିବଦ୍ଧଭାବେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।
ଜିଲ୍ଲାସ୍ତରୀୟ ସିକ୍ୟୁରିଟି କମିଟି (ଡିଏଲ୍ଏସ୍ସି) ଏବଂ ଜିଲ୍ଲାସ୍ତରୀୟ ମୁଦ୍ରା ପରିଚାଳନା କମିଟି (ଡିଏଲ୍ଏମ୍ସି) ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମହେଶ କହିଛନ୍ତି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲରେ ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍କୁ ହଟାଇ ନିଆଯିବ। ତେଣୁ ଏହି ନୋଟ୍ଗୁଡ଼ିକ ପର୍ଯ୍ୟାୟକ୍ରମେ ବଜାରରୁ ଅଦୃଶ୍ୟ ହୋଇଯିବ। ଉକ୍ତ ପୁରୁଣା ୧୦୦ ଟଙ୍କିଆ, ୧୦ ଟଙ୍କିଆ ଏବଂ ୫ ଟଙ୍କିଆ ନୋଟ୍ ସ୍ଥାନରେ ନୂଆ ନୋଟ୍ ଆସିଯାଇଛି। ୨୦୧୯ ମସିହାରେ ଜାରି ହୋଇଥିବା ନୂଆ ୧୦୦ ଟଙ୍କିଆ ନୋଟ୍ର ରଙ୍ଗ ହାଲ୍କା ବାଇଗେଣି ହୋଇଥିବାବେଳେ ଏଥିରେ ଗୁଜରାଟର ପଟଣ ଜିଲ୍ଲାର ସରସ୍ବତୀ ନଦୀକୂଳରେ ରହିଥିବା ଐତିହ୍ୟ ‘ରାଣୀ କୂପ’ର ଚିତ୍ର ରହିଛି। ତେବେ ସବୁ ପୁରୁଣା ୧୦୦ ଟଙ୍କିଆ ନୋଟ୍ ପୂର୍ବପରି ପ୍ରଚଳନରେ ରହିବ ବୋଲି ସେହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିବାବେଳେ ଦେଶରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ସେଭଳି ଅବସ୍ଥା ଯେମିତି ଦେଖା ନଯିବ ତାହାକୁ ନିଶ୍ଚିତ କରିବା ପାଇଁ ପୁରୁଣା ନୋଟ୍ ପ୍ରତ୍ୟାହାର ପୂର୍ବରୁ ନୂଆ ନୋଟ୍କୁ ଉପଲବ୍ଧ କରାଇବା ଯୋଜନା ହୋଇଥିବା ଏକ ସୂତ୍ରରୁ ଜଣାଯାଇଛି। ପୁରୁଣା ନୋଟ୍ଗୁଡ଼ିକୁ ପ୍ରତ୍ୟାହାର କରି ନିଆଗଲେ ସେଗୁଡ଼ିକ ଇତିହାସ ପାଲଟିଯିବ।