ପୁରୁଣା କାରକୁ ସ୍କ୍ରାପ୍ ବଦଳରେ ରପ୍ତାନି କରାଯାଉ

ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ : ଗାଡ଼ିଜନିତ ପରିବେଶ ପ୍ରଦୂଷଣକୁ ରୋକିବା, ତୈଳ ଖର୍ଚ୍ଚକୁ କମାଇବା ଏବଂ ଦେଶରେ ନୂଆ ଗାଡ଼ି ଉତ୍ପାଦନ କରି ଅଟୋମୋବାଇଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଦେଶରେ ନୂଆ ସ୍କ୍ରାପ୍ ନୀତି କାର୍ଯ୍ୟକାରୀ କରିବା ଯୋଜନା ରଖିଛନ୍ତି। ତେବେ କିଛି ବିଶେଷଜ୍ଞ ଏହାକୁ ନାପସନ୍ଦ କରିଛନ୍ତି। ପାଶ୍ଚାତ୍ୟ ଦେଶ ଭଳି ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରା ନଯାଇ ତାହାକୁ କମ୍ ବିକଶିତ ଦେଶଗୁଡ଼ିକୁ ରପ୍ତାନି କରିବା ସପକ୍ଷରେ ମତ ଦେଇଛନ୍ତି। ଭାରତ ସରକାର ଯେଉଁ ଲକ୍ଷ୍ୟରେ ସ୍କ୍ରାପ ନୀତି ଆଣିବାକୁ ‌ଯାଉଛନ୍ତି ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ସେହି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଜଣେ ବ୍ୟକ୍ତି ଯଦି ତାଙ୍କ ପୁରୁଣା ଗାଡ଼ିକୁ ଠିକ୍‌ ଭାବେ ରକ୍ଷଣା‌ବେକ୍ଷଣ କରୁଛନ୍ତି କିମ୍ବା ପୁରୁଣା ଗାଡ଼ିରେ ନୂଆ ଇଞ୍ଜିନ ଲଗାଇଛନ୍ତି ତାହେଲେ ସେଗୁଡ଼ିକର ପ୍ରଦୂଷଣ କମ୍ ରହିଥାଏ। ଏପରିକି ଆମେରିକାର ୱାସିଂଟନ ଡିସିରେ ହେଉଥିବା ପ୍ରଦୂଷଣ ପରୀକ୍ଷାରେ ମଧ୍ୟ ଏହି ଗାଡ଼ିଗୁଡ଼ିକ ଉତ୍ତୀର୍ଣ୍ଣ ହେଉଛନ୍ତି। ଏଥିସହିତ ସ୍କ୍ରାପ ନୀତି କାର୍ଯ୍ୟକାରୀ ହେଲେ ଦେଶରେ ପୁରୁଣା ଗାଡ଼ିଗୁଡ଼ିକର ଦାମ୍ ବଢ଼ିଯିବ। ଏହାଦ୍ବାରା ଯେଉଁ ଗରିବ ଲୋକମାନେ ପୁରୁଣା କାର୍‌ କିଣୁଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ‌ ହେବେ। କିନ୍ତୁ ଏହାଦ୍ବାରା ଲାଭରେ ଥିବା ନିର୍ମାତାମାନେ ଅଧିକ ଲାଭ ପାଇବେ। ଏଥିସହିତ ଅନେକ ଦେଶରେ ଏହା ମଧ୍ୟ ଦେଖାଦେଇଛି ସ୍କ୍ରାପ୍ ନୀତି ଯୋଗୁ କିଛିଦିନ ପାଇଁ ନିର୍ମାତାଙ୍କ ବିକ୍ରି ବୃଦ୍ଧି ପାଇଥାଏ। କିନ୍ତୁ ଦୀର୍ଘମିଆଦୀରେ ଏହି ବିକ୍ରି ହାର ଜାରି ରହିନଥାଏ। କରୋନା ପରେ ଦେଶରେ ଏବେ ପୁଣି ଗାଡ଼ି ବିକ୍ରି ବୃଦ୍ଧି ପାଇଛି। ତେଣୁ ଏହି ଶିଳ୍ପକୁ ଏପ୍ରକାର ପ୍ରୋତ୍ସାହନ ଦେବାର ଆବଶ୍ୟକତା ନାହିଁ। ପ୍ରଦୂଷଣ ବୃଦ୍ଧି ସ୍କ୍ରାପ ନୀତି ପ୍ରସ୍ତୁତର ଏକ ପ୍ରମୁଖ କାରଣ କୁହାଯାଉଛି। କିନ୍ତୁ ଗାଡ଼ିର ବୟସ ଉପରେ ପ୍ରଦୂଷଣ ନିର୍ଭର କରି ନଥାଏ। ଅନେକ ନୂଆଗାଡ଼ି ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା ଗାଡ଼ି ତୁଳନାରେ ପରିବେଶକୁ ଅଧିକ ପ୍ରଦୂଷିତ କରିଥାନ୍ତି। ଅଧିକାଂଶ ଦେଶରେ ସହରାଞ୍ଚଳରେ ପୂଦ୍ରଷଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉ ନଥିବା ଗାଡ଼ିଗୁଡ଼ିକୁ ଗ୍ରାମାଞ୍ଚଳରେ ବିକ୍ରି କରାଯାଏ। ଏହାର କାରଣ ହେଲା ଗ୍ରାମାଞ୍ଚଳ ପରିବେଶରେ ସେହି ଗାଡ଼ି ଚାଲିବା ଦ୍ବାରା ସେଥିଜନିତ ପ୍ରଦୂଷଣ ସେତେଟା ଅସୁବିଧା ସୃଷ୍ଟି କରିନଥାଏ। ଏଥିସହିତ ଗ୍ରାମାଞ୍ଚଳରେ ଲୋକଙ୍କ ଜୀବନ ଧାରଣ ମାନରେ ମଧ୍ୟ ଉନ୍ନତି ଆସିଥାଏ। ଏଥିସହିତ ପୁରୁଣା ଗାଡ଼ିକୁ ସ୍କ୍ରାପ ଘୋଷଣା କରା ନଯାଇ ସେଗୁଡ଼ିକୁ କମ୍ ଗାଡ଼ି ଚଳପ୍ରଚଳ କରୁଥିବା ଦେଶ (ମୁଖ୍ୟତଃ ଆଫ୍ରିକା ମହାଦେଶ)କୁ ରପ୍ତାନି କରାଯାଇ ପାରିବ।

ସମ୍ବନ୍ଧିତ ଖବର