ପୁରୁଣା ସରକାରୀ ଗାଡ଼ି ଉପରେ ଲାଗିବ କଟକଣା,୨୦୨୨ ଏପ୍ରିଲରୁ ପଞ୍ଜୀକରଣ ନବୀକରଣ ବନ୍ଦ ହୋଇପାରେ

ନୂଆଦିଲ୍ଲୀ: ଗାଡ଼ି ପ୍ରଦୂଷଣଜନିତ ଚିନ୍ତା ସରକାରଙ୍କୁ ଘାରିଛି। ଏଥିପାଇଁ ପୁରୁଣା ଗାଡ଼ିକୁ ବଦଳାଇ ନୂଆ ଗାଡ଼ି ରାସ୍ତାରେ ଗଡ଼ାଇବା ଲାଗି ଏକାଧିକ ଯୋଜନା ସରକାର କରୁଛନ୍ତି। କେତେବେଳେ ସ୍କ୍ରାପେଜ୍ ନୀତି ତ ଆଉ କେତେବେଳେ ସବୁଜ ଟିକସ ଲାଗୁ କରିବା ଭଳି ଯୋଜନା ପ୍ରସ୍ତୁତ ହେଉଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ନକରିବା ପାଇଁ ସରକାର ଯୋଜନା ଚଳାଇଛନ୍ତି। ଏଥିପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରସ୍ତୁତ କରାଯାଇଛି। ଯଦି ସବୁ କିଛି ଠିକ୍‌ଠାକ୍ ଅଗ୍ରଗତି କରେ ତା’ହେଲେ ୨୦୨୨ ଏପ୍ରିଲ ପହିଲାରୁ ଦେଶରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ହେବନାହିଁ। ନିୟମରେ ଆବଶ୍ୟକ ପରିବର୍ତ୍ତନ ଆଣିବା ନିମନ୍ତେ ମନ୍ତ୍ରାଳୟ ପକ୍ଷରୁ ମତାମତ ‌ଅଂଶଧାରୀମାନଙ୍କ ମତାମତ ଲୋଡ଼ାଯାଇଛି। ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ଟ୍ବିଟ୍‌ରେ ଏହି ସୂଚନା ଦିଆଯାଇଛି।

ଥରେ ଏହି ନୀତିକୁ ମଞ୍ଜୁରୀ ମିଳିଗଲେ ତାହା ସବୁ ସରକାରୀ ଗାଡ଼ି କ୍ଷେତ୍ରରେ ପ୍ରଯୁଜ୍ୟ ହେବ। ଅର୍ଥାତ୍ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ମ୍ୟୁନିସପାଲିଟି ଓ ସ୍ବୟଂଶାସିତ ସଂସ୍ଥା ଗୁଡ଼ିକ ପାଇଁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତମାସ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଥିଲେ। ଏଥିରେ ଇଚ୍ଛାଧୀନ ଗାଡ଼ି ସ୍କ୍ରାପିଂ ନୀତି ସଂପର୍କରେ ସେ ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଗାଡ଼ି କ୍ଷେତ୍ରରେ ୨୦ ବର୍ଷ ପରେ ଏବଂ ସରକାରୀ ଗାଡ଼ି କ୍ଷେତ୍ରରେ ୧୫ ବର୍ଷ ପରେ ଫିଟ୍‌ନେସ୍‌ ସାର୍ଟିଫି‌କେଟ୍‌ ଦେବାର ଆବଶ୍ୟକତା ଏଥିରେ ରହିଛି। ତେବେ ମାର୍ଚ୍ଚ ୧୨ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନୂଆ ଚିଠା ନିୟମର ବିଜ୍ଞପ୍ତି ଜାରି କରାଯାଇଛି। ୩୦ ଦିନ ଭିତରେ ଏହା ଉପରେ ମତାମତ, ଅଭିଯୋଗ ଏବଂ ପରାମର୍ଶ ମଗାଯାଇଛି। ସରକାରୀ ଗାଡ଼ି ପାଇଁ ୧୫ ବର୍ଷ ପରେ ପଞ୍ଜୀକରଣର ନବୀକରଣ ହେବ ନାହିଁ ବୋଲି ଏଥିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ସଡ଼କ ପରିବହନ, ରାଜପଥ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତୀନ ଗଡ଼କରୀ କହିଥିଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ ୧ କୋଟି ଗାଡ଼ି ସ୍କ୍ରାପ୍‌କୁ ଚାଲିଯିବ। ଫଳରେ ଅଟୋମୋବାଇଲ ଶିଳ୍ପରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ନୂଆ ନିବେଶ ହେବା ସହିତ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ। ଏସବୁ ପୁରୁଣା ଗାଡ଼ି ନୂଆ ଗାଡ଼ି ତୁଳନାରେ ୧୦ରୁ ୧୨ ଗୁଣା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି ବୋଲି କୁହାଯାଉଛି।

ତେବେ ଏହା ପୂର୍ବରୁ ସରକାର କହିଥିଲେ ଯେ, ଦେଶରେ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଗୁଡ଼ିକ ଉପରେ ସବୁଜ ଟିକସ ଲାଗୁ ହେବ। ପରିବେଶକୁ ସୁରକ୍ଷା ଦେବା ପାଇଁ ଏହା କରାଯିବ। ଏଥିରୁ ହାଇବ୍ରିଡ, ବ୍ୟାଟେରି, ସିଏନଜି, ଇଥାନଲ ଏବଂ ଏଲ୍‌ପିଜିରେ ପରିଚାଳିତ ଗାଡ଼ିକୁ ବାଦ୍ ଦିଆଯିବ। ସବୁଜ ଟିକସ ବାବଦରେ ଯେଉଁ ରାଜସ୍ବ ସଂଗ୍ରହ କରାଯିବ ତାହାକୁ ପରିବେଶ ପ୍ରଦୂ‌ଷଣକୁ ରୋକିବା ଦିଗରେ ଖର୍ଚ୍ଚ କରାଯିବ। ଏହି ପ୍ରସ୍ତାବ ଅନୁଯାୟୀ, ୮ ବର୍ଷରୁ ପୁରୁଣା ପରିବହନ ଗାଡ଼ି ଉପରେ ଫିଟନେସ୍‌ ପ୍ରମାଣପତ୍ର ନବୀକରଣ ସମୟରେ ସବୁଜ ଟିକସ ଲାଗୁ କରାଯିବ। ରୋଡ୍‌ ଟ୍ୟାକ୍ସର ୧୦ରୁ ୨୫ ପ୍ରତିଶତ ହାରରେ ସବୁଜ ଟିକସ ଆଦାୟ ଯୋଜନା ଏଥିରେ ରଖାଯାଇଛି।

ସମ୍ବନ୍ଧିତ ଖବର