ମୁମ୍ବାଇ: ଭୋଟରମାନଙ୍କ ମନ ଜିଣିବା ଲାଗି ପୁରୁଣା ପେନ୍‌ସନ୍ ସ୍କିମ୍ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି। ବହୁ ରାଜ୍ୟ ଏହାକୁ ନିର୍ବାଚନ ପ୍ରତିଶ୍ରୁତିର ଏକ ପ୍ରମୁଖ ଅଂଶ ଭାବେ ଉପସ୍ଥାପନ କରୁଛନ୍ତି। ଏହି ସ୍କିମ୍‌ ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ଚାପକୁ ବଢ଼ାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚେତାବନୀ ଦେଇଛି। ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ରାଜ୍ୟଗୁଡ଼ିକ କିଛି ଗୁରୁତ୍ବପୂର୍ଣ୍ଣ ଖର୍ଚ୍ଚକୁ ସ୍ଥଗିତ ରଖି ସେହି ଟଙ୍କାରେ ପୁରୁଣା ପେନ୍‌ସନ୍ ସ୍କିମ୍ କାର୍ଯ୍ୟକାରୀ କରିବେ। ତାହାର ଲାଭ କିନ୍ତୁ କ୍ଷଣସ୍ଥାୟୀ। ଆଗୁଆ ପାଣ୍ଠିର କୌଣସି ବ୍ୟବସ୍ଥା ନକରି ଏହି ସ୍କିମ୍ ଲାଗୁ କଲେ ଭବିଷ୍ୟତରେ ସରକାରଙ୍କ ଆର୍ଥିକ ଚାପ ବୃଦ୍ଧି ପାଇବ।