ଭୁବନେଶ୍ବର: ଶାଢ଼ିକୁ ବି ସୁନା ପରି ବ୍ୟବହାର ପରେ ବିକ୍ରି କରାଯାଇପାରିବ। ପୁରୁଣା ଶାଢ଼ିରୁ ମନ ପୂରିଗଲେ ତାହାକୁ ବିକି ଦେଇ ନିଜ ଆଲମିରା ପାଇଁ ଆଣିପାରିିବେ ଆପଣଙ୍କ ମନ ପସନ୍ଦର ଶାଢ଼ି। ଏଭଳି ଏକ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଉଛି ଅନ୍‌ଲାଇନ୍‌ ଶାଢ଼ି ମାର୍କେଟ ‘ମୋସ୍ ପ୍ରିଲଭଡ’(MOS Preloved)। ବେଳେ ବେଳେ ନିଜର କୌଣସି ଶାଢ଼ି ନିଜକୁ ଆଉ ପିନ୍ଧିବାକୁ ଇଚ୍ଛା ହୁଏନି। ପୁଣି କେବେ ଗୋଟାଏ ଇଭେଣ୍ଟ୍‌ରେ ଶାଢ଼ି ପିନ୍ଧି ସୋସିଆଲ୍‌ ମିଡିଆରେ ଫଟୋ ଅପ୍‌ଲୋଡ୍‌ କରିଦେଲେ ଶାଢ଼ି ପୁରୁଣା ହୋଇଯିବା ପରି ଲାଗେ।  ସମୟ ଅନୁସାରେ ରୁଚି ବଦଳିଯାଏ, ପୁରୁଣା ଦାମୀ ଶାଢ଼ି ବି ମନକୁ ଛୁଏଁନାହିଁ।  ଏଭଳି କିଛି ଶାଢ଼ି ଆମ ଆଲମିରାରେ ପଡ଼ିଥାଏ ଯାହାକୁ ପିନ୍ଧିବାକୁ କେବେ ବି ଇଚ୍ଛା ହୁଏନି ମାତ୍ର ସାଇତିକି ରଖିବ‌ାକୁ ପଡ଼େ।

Advertisment

ଏହି ସମସ୍ୟାକୁ ଆଉ ସାମ୍ନା କରିବାକୁ ପଡ଼ିବନି। ଆପଣ ଚାହିଁଲେ ନିଜର ଯେକୌଣସି ଶାଢ଼ିକୁ ‘ମୋସ୍ ପ୍ରିଲଭଡ୍’(MOS Preloved)ୱେବସାଇଟକୁ ଯାଇ ବିକ୍ରି କରିପାରିବେ। ଖାଲି ସେତିକି ନୁହେଁ, ଦାମୀ ଦାମୀ ଶାଢ଼ିକୁ ଖୁବ୍ କମ୍‌ ଟଙ୍କାରେ କିଣି ମଧ୍ୟ ପାରିବେ। ମୋଟାମୋଟୀ କହିବାକୁ ଗଲେ ଦରକାରରେ ଆସୁନଥିବା ଶାଢ଼ିକୁ ଅନ୍ୟ ଲୋକଙ୍କୁ ପିନ୍ଧିବାର ସୁଯୋଗ ଦେବା ଓ ଅନ୍ୟ କାହାର ଲୋଭନୀୟ ଶାଢ଼ିକୁ ଶସ୍ତାରେ କିଣିବାର ସୁଯୋଗର ମାଧ୍ୟମ ହେଉଛି ‘ମୋସ୍ ପ୍ରିଲଭଡ’(MOS Preloved) । ଆପଣ ଯଦି ଏହିଠାରୁ ଶାଢ଼ି କିଣୁଛନ୍ତି ତେବେ ଆପଣଙ୍କୁ ଏହା ମାର୍କେଟ ଦରଠୁ ୫୦-୬୦ ପ୍ରତିଶତ କିମ୍ବା ତା’ଠାରୁ ବି କମ୍‌ ଟଙ୍କାରେ ମିଳିଯାଇପାରେ। ଶାଢ଼ିକୁ ଭଲପାଉଥିବା ମହିଳାଙ୍କ ଲାଗି ଏହା ଠାରୁ ଭଳି ଭଲ ଖବର ଆଉ କ’ଣ ହୋଇପାରେ !

publive-image

ଶାଢ଼ିକୁ ନେଇ ଏପରି ଯାଦୁକରୀ କାର୍ଯ୍ୟ ଆରମ୍ଭ କରିଛନ୍ତି ‘ମ୍ୟାଜିକ ଅଫ୍‌ ଶାଢ଼ି’ର ସିଇଓ ସୁସ୍ମିତା ମିଶ୍ର। ସେ ପ୍ରଥମେ ତାଙ୍କ ଭଉଣୀ ସୁନୀତା ମିଶ୍ରଙ୍କ ସହ ମିଶି ଫେସ୍‌ବୁକ୍‌ରେ ‘ଦ ମ୍ୟାଜିକ୍‌ ଅଫ୍‌ ଶାଢ଼ି’ ନାମରେ ଏକ ପେଜ୍‌ ଖୋଲିଥିଲେ। ‌ସେଥିରେ ‌ସେ ମହିଳାମାନଙ୍କୁ ଶାଢ଼ି ପିନ୍ଧିବା ପାଇଁ ପ୍ରୋତ୍ସାହିତ କରି ଆସୁଥିଲେ। ପରେ ସେ ‘ମୋସ୍ ପ୍ରିଲଭଡ’(MOS Preloved) ନାମକ ଏହି ଅନ୍‌ଲାଇନ୍‌ ଶାଢ଼ି ମାର୍କେଟ ଖୋଲି ଶାଢ଼ି କିଣାବିକାର ସୁଯୋଗ ସୃଷ୍ଟି କରିଛନ୍ତି। ଏବେ ସୁଦ୍ଧା ପୂରା ବିଶ୍ବରେ ଏହି ସଂସ୍ଥାର ୩୦ ହଜାର ସଦସ୍ୟ ରହିଛନ୍ତି। ଆପଣ ଭାବୁଥିବେ ଯେ ବିଶେଷ କରି ଭଲ ଶାଢ଼ି କିଣିବା ପାଇଁ ଆର୍ଥିକ କ୍ଷମତା ନଥିବା ଲୋକମାନେ ହିଁ ଏହି ଶାଢ଼ି କିଣୁଥିବେ। ମାତ୍ର ଆପଣଙ୍କୁ ଜଣାଇ ଦେଉଛୁ ‌ଯେ ଏହି କିଣାବିକାରେ ବିଭିନ୍ନ ବର୍ଗର ମହିଳା ସାମିଲ୍‌ ହୋଇଛନ୍ତି।

ଶାଢ଼ି କିଣିବା ପାଇଁ ଆପଣ ‘ମୋସ୍ ପ୍ରିଲଭଡ’ (MOS Preloved) ୱେବସାଇଟକୁ ଯାଇ ଅନ୍ୟ ଅନ୍‌ଲାଇନ୍‌ ସାଇଟ୍‌ରୁ ବରାଦ ଦେବା ପରି ବରାଦ ଦେବେ। ଶାଢ଼ି ବିକିବା ପାଇଁ ସେଲ୍‌ ଅପ୍‌ସନକୁ କ୍ଲିକ୍‌ କରି ଠିକଣା ଦେବେ। ତା’ପରେ ଆପଣଙ୍କୁ ନିଜର ଆଇଡି ପ୍ରୁଫ୍‌ ଦେବାକୁ ହେବ। ଏହାଛଡ଼ା ଶାଢ଼ିର ଏକ ଭଲ ଫଟୋ ବି ଅପଲୋଡ୍ କରିବେ ସେଥିରେ। ଏହା ବ୍ୟତୀତ ନିଜ ଶାଢ଼ି ବିଷୟରେ କିଛି ଗୁଣାତ୍ମକ କଥା ଲେଖି ପୋଷ୍ଟ୍‌ କରିବେ। ତେବେ ଏହି ଅନ୍‌ଲାଇନ୍‌ ବ୍ୟବସାୟ ପ୍ରଥମେ ୨୦୨୧ ମସିହା ଜୁଲାଇ ମାସରୁ ଆରମ୍ଭ ହୋଇ ଅଗଷ୍ଟ୍‌ ମାସରେ ସୋସିଆଲ୍‌ ମିଡିଆ ଜରିଆରେ ଲୋକଲୋଚନକୁ ଆସିଛି। ସୁସ୍ମିତାଙ୍କ ୱେବ୍‌ସାଇଟ୍‌ www.magicofsarees.com ଏବଂ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ @mos_preloved ଜରିଆରେ ଏ ସଂପର୍କରେ ବିଭିନ୍ନ ତଥ୍ୟ ପ୍ରକାଶ କରାଯାଇଛି।

publive-image

ସୁସ୍ମିତା ପାରାଦୀପରେ ତାଙ୍କର ସ୍କୁଲ୍‌ ଜୀବନ ଶେଷ କରି ରେଭେନ୍ସାରେ ବି.ଏସ୍‌ସି ପୂରା କରିଛନ୍ତି। ପରେ ଏକ୍ସଆଇଏମ୍‌ବିରୁ ଏମବିଏ କରିଛନ୍ତି। ପୂର୍ବରୁ ସେ ଦୁଇ ଦୁଇଟି ନାମୀ କମ୍ପାନିରେ ଚାକିରି କରି ସାରି ମଧ୍ୟ ଶାଢ଼ି ପ୍ରତି ଥିବା ତାଙ୍କର ଅହେତୁକ ଦୁର୍ବଳତା ‌ହେତୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅଭିନବ ବ୍ୟବସାୟକୁ  ଚୟନ କରିଛନ୍ତି। ସେ କହନ୍ତି,‘‘ ଶାଢ଼ି ଏକ ପୁରୁଣାକାଳିଆ ପୋଷାକ ନୁହେଁ, ବରଂ ଜଣେ ନାରୀ ସବୁଠାରୁ ଅଧିକ ସୁନ୍ଦର ଶାଢ଼ିରେ ହିଁ ଦିଶିଥାଏ। ଏହି ବ୍ୟବସାୟରେ ଯୋଡ଼ି ହେଇଥିବା ପ୍ରାୟ ୩୦ ପ୍ରତିଶତ ଶାଢ଼ି ମୋ ନିଜ ପରିବାର ଓ ବନ୍ଧୁଙ୍କର। ଦୁଇ ଦିନ ତଳେ ଜଣେ ମହିଳା ମୈଶୂର କ୍ରେପ୍‌ ସିଲ୍‌କ, କାଞ୍ଜିବରମ୍‌, ବମକେଇ ସିଲ୍‌କ ଏବଂ କୋଏମ୍ବାଟୁର କଟନ ଶାଢ଼ି ମାତ୍ର ୧୩,୨୦୦ ଟଙ୍କାରେ କିଣିନେଇଛନ୍ତି। ଏଇଥିରୁ ଅନୁମାନ କରନ୍ତୁ କେତେ ଶସ୍ତାରେ ପାଇ ପାରିବେ ମନପସନ୍ଦର ଶାଢ଼ି। ଏହା ହିଁ ହେଉଛି ‘ମୋସ୍ ପ୍ରିଲଭଡ୍’ର ପ୍ରଭାବ।’’