ସ୍କ୍ରାପ୍‌ ଭାବେ ବିକ୍ରି ହେବ ପୁରୁଣା ଗାଡ଼ି, ବିଜ୍ଞପ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ: ଅତି ପୁରୁଣା ହୋଇଯାଇଥିବା ଗାଡ଼ି, ଟିଭି, ଫ୍ରିଜ୍, ୱାସିଂ ମେସିନ ଓ ଏସି ଆଦିକୁ ସ୍କ୍ରାପ୍ ଭାବେ ସଂଗ୍ରହ କରାଯିବ। କେନ୍ଦ୍ର ସରକାର ଏନେଇ ସ୍କ୍ରାପ୍ ନୀତିର ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଏହି ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ‌ସଡ଼କ ପରିବହନ ଓ ରାଜପଥ ଏବଂ ଭାରି ଶିଳ୍ପ ମନ୍ତ୍ରଣାଳୟ କାର୍ଯ୍ୟ କରିବେ। ଏଥିରେ ଗାଡ଼ି, ଟିଭି, ଫ୍ରିଜ୍ ଭଳି ସାମଗ୍ରୀ ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ବିଭିନ୍ନ ଦାୟିତ୍ବ ବହନ କରିବାକୁ କୁହାଯାଇଛି। ପୁରୁଣା ଗାଡ଼ିକୁ ବଦଳାଇବାକୁ ଚାହୁଥିବା ଗ୍ରାହକଙ୍କୁ ନୂଆ ଗାଡ଼ି ଉପରେ ରିହାତି ଦେବା ଭଳି ସ୍କିମ୍ ଗାଡ଼ି କଂପାନିଗୁଡ଼ିକୁ ଆଣିବାକୁ ହେବ। ଅତି ପୁରୁଣା ଜିନିଷକୁ ସଂଗ୍ରହ କରିବା, ତାହାକୁ ରିସାଇକଲ୍‌ କରି ସେଥିରୁ ନୂତନ ଉପକରଣ ପ୍ରସ୍ତୁତ କରିବା, ଟେକ୍ ବ୍ୟାକ୍ (ଫେରସ୍ତ ନେବା) ସ୍କିମ୍‌ ଲାଗୁ କରିବା ଏବଂ ସ୍କ୍ରାପ୍‌ ସେଣ୍ଟର୍‌ ସ୍ଥାପନ କରିବା ଭଳି ବିଭିନ୍ନ ଦାୟିତ୍ବ ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ କଂପାନିର ଡିଲର୍‌ ଓ ସେମାନଙ୍କ ପାଇଁ ଉପକରଣ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ନେବାକୁ ପଡ଼ିବ। ସ୍କ୍ରାପ୍‌ରୁ ପ୍ରସ୍ତୁତ ହେବାକୁ ଥିବା ସାମଗ୍ରୀର ଗୁଣବତ୍ତା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ‘ଅଟୋମୋବାଇଲ୍‌ ଫିଟ୍‌ନେସ୍ ସାର୍ଟିଫିକେସନ ନୀତି’ ପ୍ରସ୍ତୁତ କରାଯିବ। ରାସ୍ତା ଉପରେ ଫିଟ୍ ନଥିବା ଏବଂ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଇବା ଦିଗରେ ଏହି ନୀତି ପ୍ରଭାବଶାଳୀ ସାବ୍ୟସ୍ତ ହେବ। ଘରୋଇ ସଂସ୍ଥା ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଫିଟ୍‌ନେସ୍ ସେଣ୍ଟର୍‌ ମଧ୍ୟ ସ୍ଥାପନ କରାଯିବ। ଗାଡ଼ି କଂପାନିଗୁଡ଼ିକ ଲାଗି ଅସଲି ଉପକରଣ ନିର୍ମାଣ କରୁଥିବା ସଂସ୍ଥା ଓ ଡିଲର୍‌ଗୁଡ଼ିକ ପୁରୁଣା ଗାଡ଼ି ସଂଗ୍ରହ କରିବା କାର୍ଯ୍ୟ କରିବେ। ଦୁଇଟି ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ। ଏଥିପାଇଁ ସେମାନେ ଏକ ‘ଟେକ୍‌ ବ୍ୟାକ୍‌ ସ୍କିମ୍’ ଘୋଷଣା କରିବେ। ଅନ୍ୟଥା ସ୍କ୍ରାପ୍‌ କେନ୍ଦ୍ର ସ୍ଥାପନ କରିବେ। ଗାଡ଼ିର ମାଲିକ ଇଚ୍ଛାଧୀନ ଭାବେ ଗାଡ଼ିକୁ ଅନ୍‌ଫିଟ୍‌ ଘୋଷଣା କରିବା ପରେ ତାହାକୁ ସ୍କ୍ରାପ୍ ‌କେନ୍ଦ୍ରକୁ ପଠାଇ ଦିଆଯିବ। ସ୍କ୍ରାପ୍‌ କେନ୍ଦ୍ର ସ୍ଥାପନ କରିବା ଲାଗି ପୁଞ୍ଜିନିବେଶ ଉପରେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଏବଂ ଟିକସ ରିହାତି ପ୍ରଦାନ କରିବା ଉପରେ ସରକାର ବିଚାର କରୁଛନ୍ତି। ସ୍କ୍ରାପ୍ କେନ୍ଦ୍ରଗୁଡ଼ିକୁ ରାଜପଥ, ଶିଳ୍ପ କରିଡର, ସାଗରମାଳା ପ୍ରକଳ୍ପ, ରେଳ ସାଇଡିଂ ନିକଟରେ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର