ପୁଣିଥରେ ଏଲପିଜି ଗ୍ୟାସ ଦରରେ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସହ ବଢୁଥିବା ଦରଦାମ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି । ଡିସେମ୍ବର ପହିଲାରୁ ପୁଣି ମହଙ୍ଗା ମାଡରେ ଚାପା ଗ୍ରାହକ । କାରଣ ଆଜିଠାରୁ ପୁଣିଥରେ ଏଲପିଜି ଗ୍ୟାସ ଦରରେ ବୃଦ୍ଧି ହୋଇଛି । କମର୍ସିଆଲ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଯଦିଓ ଘରୋଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିବାରୁ ଖାଇବା ପିଇବା ସବୁ ମହଙ୍ଗା ହେବ , ଯାହାର ପରୋକ୍ଷ ପରିଣାମ ସାଧାରଣ ଲୋକଙ୍କ ଉପରେ ପଡିବ ।

କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ନଭେମ୍ବର ୧ ରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି କରାଯାଇଥିବାରୁ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା।

ଅନ୍ୟପଟେ ଏଥର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟପରିବର୍ତ୍ତନ କରାଯାଇ ନାହିଁ ଏବଂ ଅକ୍ଟୋବରରେ ଶେଷ ଥର ପାଇଁ ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ଏବଂ ମୁମ୍ବାଇରେ ଅଣ-ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ ଘରୋଇ ଗ୍ୟାସର ମୂଲ୍ୟ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧୫.୫ ଟଙ୍କା ରହିଛି। ଡିସେମ୍ବରର ଘରୋଇ ସିଲିଣ୍ଡରର ଦର ବୃଦ୍ଧି ହୋଇନଥିଲେ ବି ପୂବାପେକ୍ଷା ଏହାର ଦରରରେ ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କୁ ହସ୍ତସନ୍ତ କରୁଛି ।

ଯଦି ଆପଣ ଆପଣଙ୍କ ସହରରେ ଗ୍ୟାସ୍ ସିଲିଣ୍ଡରର ନୂତନ ମୂଲ୍ୟ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ସରକାରୀ ତୈଳ କମ୍ପାନିର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରିପାରିବେ । ଏଥିପାଇଁ ଆଇଓସିଏଲ (ଆଇଓସିଏଲ) ୱେବସାଇଟ ଉପରେ କ୍ଲିକ କରନ୍ତୁ । ତା’ପରେ ୱେବସାଇଟରେ ରାଜ୍ୟ, ଜିଲ୍ଲା ଏବଂ ବିତରକ ଚୟନ କରନ୍ତୁ ଏବଂ ତା’ପରେ ସନ୍ଧାନ କ୍ଲିକ୍ କରନ୍ତୁ । ତା’ପରେ ଆପଣ ନିଜ ସହରରେ କମର୍ସିଆଲ ସିଲିଣ୍ଡରର ଦର ଜାଣିପାରିବେ ।

ସମ୍ବନ୍ଧିତ ଖବର