ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ଆଜି ବିଶ୍ୱ ମଧୁମେହ ଦିବସ। ଇଣ୍ଟରନ୍ୟାସନାଲ ଡାଇବେଟିସ୍ ଫେଡେରେସନ ଏବଂ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ଦ୍ୱାରା ଏହି ଦିବସ ୧୯୯୧ରୁ ପାଳନ କରାଯାଉଛି। ମୁଖ୍ୟ ଲକ୍ଷ୍ୟ ହେଲା ମଧୁମେହ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଘାତକ ରୋଗକୁ କିପରି ପ୍ରତିରୋଧ କରିହେବ ସେ ସମ୍ପର୍କରେ ଆଜିର ଦିନରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଏ। ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ବାର୍ତ୍ତା ହେଉଛି “ଜୀବନ ପର୍ଯ୍ୟାୟରେ ମଧୁମେହ’। ମଧୁମେହ ରୋଗ ସହିତ ଲିଭର ଓତପ୍ରୋତ ଭାବେ ଜଡ଼ିତ। ଲିଭର ଏକ ବିରାଟ ଲାବୋରେଟରି ବା ରସାୟନାଗାର। ଏହା ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ପେଟର ମଧ୍ୟ ଭାଗର ଡାହାଣପଟକୁ ମଧ୍ୟଚ୍ଛଦାର ଠିକ୍ ତଳକୁ ଯକୃତ ରହିଥାଏ। ଏହାକୁ ଶରୀରର ବିଜ୍ଞାନଗାର କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ସମୟରେ ଏହା ବହୁତ ରାସାୟନିକ କାର୍ଯ୍ୟ କରିଥାଏ। ଶରୀରରେ ନଷ୍ଟ ହେଉଥିବା ଲୋହିତ ରକ୍ତକଣିକାରୁ ହିମୋଗ୍ଲୋବିନ୍ ବାହାର କରି ତାକୁ ଭାଙ୍ଗି ପୁଣି ନୂଆ ହିମୋଗ୍ଲୋବିନ୍ ସୃଷ୍ଟି କରିବାରେ ଯକୃତ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ରକ୍ତ ଜମାଟ ବାନ୍ଧିବା ପାଇଁ ଯେଉଁ ଉପାଦାନ ଆବଶ୍ୟକ ପଡ଼େ ଯଥା ପ୍ରୋଥ୍ରୋମ୍ବିନ୍ ଓ ଫିବ୍ରିନୋଜେନ୍ ତାହା ଯକୃତ ଲାବୋରେଟରିରେ ହିଁ ତିଆରି ହୁଏ। ପିତ୍ତ କ୍ଷରଣ ହେଉଛି ଯକୃତର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଖାଦ୍ୟ ପାକସ୍ଥଳୀରୁ ଗ୍ରହଣି ମଧ୍ୟକୁ ପ୍ରବେଶ କରିବା ସମୟରେ ପିତ୍ତନଳୀରୁ ପିତ୍ତ ଆସି ଖାଦ୍ୟ ସହିତ ମିଶି ପାଚନ କ୍ରିୟାରେ ସାହାଯ୍ୟ କରେ। ରକ୍ତରେ ଶର୍କରା ପରିମାଣ ଅଧିକ ହେଲେ ଯକୃତ ଏହାକୁ ଗ୍ଲାଇକୋଜେନ୍ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ। ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜର ପରିମାଣ କମିଗଲେ ଲିଭର ଗ୍ଲାଇକୋଜେନ୍କୁ ଗ୍ଲୁକୋଜରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ।
ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଯକୃତର ସମସ୍ୟା ବଢ଼ିଯାଏ। ମଧୁମେହ ରୋଗ ହେଲେ ଯକୃତ ଖରାପ ହୁଏ ଓ ଯକୃତ ଖରାପ ହେଲେ ମଧ୍ୟ ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହୁଏ। ଏହା ବାଦ୍ ଅନ୍ୟ କେତେକ ରୋଗରେ ଉଭୟ ଲିଭର ଓ ଅଗ୍ନ୍ୟାଶୟ ଏକା ସହିତ ଆକ୍ରାନ୍ତ ହୁଅନ୍ତି। ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ୪୦-୭୦% କ୍ଷେତ୍ରରେ ଯକୃତରେ ଚର୍ବି ଜମିଯାଏ। ଏହାକୁ ଫ୍ୟାଟି ଲିଭର କୁହନ୍ତି। ଅତ୍ୟଧିକ ଚର୍ବି ଜମିଲେ ଯକୃତ କୋଷରେ ଏକ ପ୍ରକାର ପ୍ରଦାହ ସୃଷ୍ଟି ହୋଇ ରକ୍ତରେ ଲିଭର ପାଚକ ରସର ମାତ୍ରା ବୃଦ୍ଧିପ୍ରାପ୍ତ ହୁଏ। ଏହାକୁ ନାସ୍ ବା ଷ୍ଟିଆଟୋ ହେପାଟାଇଟିସ୍ କୁହାଯାଏ। ଧୀରେ ଧୀରେ ଚର୍ବି ଜମିଲେ ଲିଭର କୋଷର କ୍ଷତ ସୃଷ୍ଟି ହୋଇ ସଂଯୋଜକ ତନ୍ତୁରେ ମୋଟା ଦାଗ ଜମିଯାଏ। ଏହା ଯକୃତର କାର୍ଯ୍ୟ କ୍ଷମତାକୁ କମାଇ ଦିଏ ଓ ସୂତ୍ରତନ୍ତୁମୟତା ଯୋଗୁଁ ଯକୃତ ସଙ୍କୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ହୋଇ ଧୀରେ ଧୀରେ ସିରୋସିସ୍ ବା ଜଳଉଦରୀ ରୋଗର ସୃଷ୍ଟି ହୁଏ। ମଧୁମେହ ରୋଗରେ ଯକୃତ କ୍ୟାନସରର ସଂଖ୍ୟା ମଧ୍ୟ ଅଧିକ। ମଧୁମେହରେ ଲିଭରର ପିତ୍ତ କୋଷରେ ପଥର ସୃଷ୍ଟି ହୁଏ। ମଧୁମେହ ରୋଗରେ ବ୍ୟବହୃତ ଔଷଧର ପାଶ୍ୱର୍ପ୍ରତିକ୍ରିୟା ଯୋଗୁଁ ବେଳେ ବେଳେ ଜଣ୍ଡିସ୍ ହୁଏ। ମଧୁମେହରେ ଜଣ୍ଡିସ ବା ହେପାଟାଇଟିସ୍ ହେଲେ ସେଥିରେ ଜଣ୍ଡିସ୍ର ମାତ୍ରା ଅତ୍ୟଧିକ ଭାବରେ ବଢ଼ିଯାଏ ଓ ବେଳେବେଳେ ପେଟରେ ପାଣି ଜମିଯାଏ। ବେଳେବେଳେ ରୋଗୀମାନେ ସେଥିରେ ମୃତ୍ୟୁବରଣ କରନ୍ତି। ମଦ୍ୟପାନ ଓ ହେପାଟାଇଟିସ୍ ‘ବି’, ‘ସି’କୁ ବାଦ ଦେଲେ ମଧୁମେହ ରୋଗ ହେଉଛି ଲିଭର ସିରୋସିସ୍ ବା ଜଳଉଦରୀ ବ୍ୟାଧିର ମୁଖ୍ୟ କାରଣ। ମଧୁମେହ ବା ହେପାଟାଇଟିସ୍ ‘ବି’ ଓ ‘ସି’ ଭୂତାଣୁ ବେଳେ ବେଳେ ମିଶି ଯକୃତକୁ ଆକ୍ରମଣ କରନ୍ତି। ଲିଭର ଓ ଅଗ୍ନ୍ୟାଶୟ ଏକା ସହିତ ଖରାପ ହେଲେ ଏହା ସାଂଘାତିକ ଅବସ୍ଥା ସୃଷ୍ଟି କରେ। ଲିଭରରେ ଅତ୍ୟଧିକ ଲୌହକଣିକା ଜମିଗଲେ ଲିଭର ସିରୋସିସ୍ ଓ ଡାଏବେଟିସ୍ ହୁଏ। ଏହାକୁ ବ୍ରୋଞ୍ଜ ଡାଏବେଟିସ ବା ହିମୋକ୍ରୋମାଟୋସିସ୍ କୁହନ୍ତି। ଅଟୋଇମ୍ୟୁନ୍ ଲିଭର ରୋଗରେ ମଧ୍ୟ ଅଗ୍ନ୍ୟାଶୟ ଖରାପ ହୋଇ ଡାଏବେଟିସ୍ ହୁଏ। ଏହାକୁ ଟାଇପ-୧ ଡାଏବେଟିସ ଓ ଅଟୋଇମ୍ୟୁନ୍ ଲିଭର ରୋଗ ବୋଲି କୁହନ୍ତି।
ଅଗ୍ନ୍ୟାଶୟ ଓ ଲିଭର ଏକାଠି ଆକ୍ରାନ୍ତ ହେଲେ ଉଭୟ ରୋଗର ଲକ୍ଷଣ ଦେଖାଯାଏ। ଭୋକ ଲାଗେ ନାହିଁ, ଜଣ୍ଡିସ୍ ହୁଏ, ଆଖି ହଳଦିଆ ଦେଖାଯାଏ, ପେଟରେ ପାଣି ଜମିଯାଏ। ବେଳେବେଳେ ବୃକ୍କ ଖରାପ ହୋଇ ପରିସ୍ରା କମିଯାଏ। ମନୁଷ୍ୟର ଚେତା ମଧ୍ୟ ବୁଡ଼ିଯାଏ। ମଧୁମେହ ରୋଗ ଯୋଗୁଁ ହୃତ୍ପିଣ୍ଡ, ଲିଭର, ଫୁସ୍ଫୁସ୍, ବୃକ୍କ, ରକ୍ତନଳୀ ଓ ସ୍ନାୟୁଗୁଚ୍ଛ ଇତ୍ୟାଦି ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଖରାପ ହୋଇଯାଏ। ପ୍ରଥମ ଅବସ୍ଥାରୁ ଉଭୟ ରୋଗର ଚିକିତ୍ସା ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା କଲେ ଏଥିରେ ରୋଗ ଉପଶମ ହେବାର ଆଶା ରହିଛି। ତେଣୁ ଏସବୁ କ୍ଷେତ୍ରରେ ପ୍ରଥମରୁ ସାବଧାନ ହେବାର ବହୁତ ଆବଶ୍ୟକତା ରହିଛି। ନିୟମିତ ଶାରୀରିକ ବ୍ୟାୟାମ ଓ ଯୋଗାସନ କଲେ ମଧୁମେହର ନିଆଁ କମିଯାଏ ଓ ଯକୃତକୁ ମଧ୍ୟ ଉପଶମ ମିଳେ।
ଅବସରପ୍ରାପ୍ତ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/sfhshfhxvb-2025-11-14-01-25-44.jpg)