ନୂଆଦିଲ୍ଲୀ: ଭାରତ ସରକାର ବିକାଶ କରିଥିବା ଓଏନ୍‌ଡିସି ଦେଶର ଇ-କମର୍ସ କ୍ଷେତ୍ରରେ ବିପ୍ଳବ ଆଣିବ। ଆମାଜନ, ଫ୍ଲିପ୍‌କାର୍ଟ, ଜୋମାଟୋ, ସ୍ବିଗି ଭଳି ସଂସ୍ଥାକୁ ଏହା କଡ଼ା ଟକର ଦେବ। ଗତବର୍ଷ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ବଡ଼ ଧରଣର ରିହାତି ଦେଉଥିବାରୁ ଏବେ ଚର୍ଚ୍ଚାରେ ରହିଛି। ସ୍ବିଗି ଓ ଜୋମାଟୋଠାରୁ କମ୍ ଦାମ୍‌ରେ ଖାଦ୍ୟ ସାମଗ୍ରୀ ଓଏନ୍‌ଡିସିରେ ମିଳୁଛି। କ୍ଷୁଦ୍ର ଓ ଖୁଚୁରା ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି ଗତବର୍ଷ ଓଏନ୍‌ଡିସି ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ପରଠାରୁ ଓଏନ୍‌ଡିସିରେ ବ୍ୟବସାୟୀଙ୍କ ସଂଖ୍ୟା ୮୦୦ରୁ ବୃଦ୍ଧି ପାଇ ୩୫ ହଜାରରୁ ଅଧିକ ହୋଇଛି। ସେହିପରି ଦୈନିକ ବରାଦ ସଂଖ୍ୟା ୫୦ରୁ ବୃଦ୍ଧି ପାଇ ୨୫,୦୦୦ ହୋଇଛି। ଜାନୁଆରିରେ ମାତ୍ର ୮୫ଟି ସହରରେ ଓଏନ୍‌ଡିସି ଉପଲବ୍ଧ ଥିଲା। ଏବେ ୨୩୬ଟି ସହରରେ ତାହା ପହଞ୍ଚିଛି।

Advertisment

ଓଏନ୍‌ଡିସିରେ ଖାଦ୍ୟ ସାମଗ୍ରୀ, ଫେସନ, ବିଉଟି ଓ ପର୍ସନାଲ କେୟାର, ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍‌ସେସ୍‌ର ବରାଦ ଦିଆଯାଇପାରୁଛି। କ୍ୟାବ୍ ବୁକିଂ ସୁବିଧା ମଧ୍ୟ ଏଥିରେ ମିଳିବ। ଓଏନ୍‌ଡିସି କୌଣସି ସ୍ବତନ୍ତ୍ର ଆପ୍ ନୁହେଁ ଯାହାକୁ ଡାଉନ୍‌ଲୋଡ୍ କରିବାକୁ ପଡ଼ିବ। ପେଟିଏମ୍, ଫୋନ୍‌ପେ ଭଳି ଆପ୍‌ରେ ଓଏନ୍‌ଡିସି ସର୍ଚ୍ଚ କଲେ ତାହା ଉପଲବ୍ଧ ହେଉଛି। ଓଏନ୍‌ଡିସିରେ ୫୫,୦୦୦ କ୍ୟାବ୍ ମାଲିକ ଯୋଡ଼ିହୋଇଛନ୍ତି। ବର୍ତ୍ତମାନ ଭାରତୀୟମାନେ ୮ ପ୍ରତିଶତ ଜିନିଷ ଇ-କମର୍ସ ସାଇଟ୍‌ରୁ କିଣୁଛନ୍ତି। ଆସନ୍ତା ଦୁଇ ବର୍ଷରେ ସେହି ହାରକୁ ୨୫%ରେ ପହଞ୍ଚାଇବାକୁ ଓଏନ୍‌ଡିସି ଲକ୍ଷ୍ୟ ରଖିଛି। ଡାକ ବିଭାଗ ମଧ୍ୟ ଖୁବ୍‌ଶୀଘ୍ର ଓଏନ୍‌ଡିସିରେ ଯୋଗ ଦେବ ବୋଲି ସରକାର କହିଛନ୍ତି। ଏହା ହେଲେ ଦେଶରେ ଥିବା ୧,୬୦,୦୦୦ରୁ ଅଧିକ ଡାକଘର ସାମଗ୍ରୀ ଡେଲିଭରି ଦେବାରେ ବ୍ୟବହାର ହୋଇପାରିବ।

ସରକାରୀ ଟଙ୍କାରେ ରିହାତି ଦିଆଯାଉନି: ସିଇଓ
ଓଏନ୍‌ଡିସି ପ୍ଲାଟଫର୍ମରେ ଦିଆଯାଉଥିବା ରିହାତି ଓ ପ୍ରୋତ୍ସାହନ ପାଇଁ ସରକାରୀ ଟଙ୍କା ବ୍ୟବହାର ହେଉନି ବୋଲି କଂପାନିର ସିଇଓ ଟି କୋସି କହିଛନ୍ତି। ‌ନେଟ୍‌ୱର୍କକୁ ଆଗକୁ ବଢ଼ାଇବା ଓ ଲୋକପ୍ରିୟ କରିବା ଲାଗି କିଛିଟା ପଦକ୍ଷେପ ଗ୍ରହଣ କରାଯାଇଛି। ଓଏନ୍‌ଡିସି ପାଣ୍ଠିରୁ ସେଥିପାଇଁ ପ୍ରୋତ୍ସାହନ ଦିଆଯାଉଛି। ୨୦୨୧ରେ ଆରମ୍ଭ ହେବା ପରଠାରୁ ସରକାର ଓଏନ୍‌ଡିସିକୁ ଟଙ୍କାଟିଏ ବି ଦେଇନାହାନ୍ତି। କେବଳ ଏହାକୁ ବିକାଶ କରିବାରେ ସରକାର ଯାହା କିଛି ପାଣ୍ଠି ଦେଇଥିଲେ। ୧୯ଟି ବ୍ୟାଙ୍କରୁ କଂପାନି ୧୮୦ କୋଟି ଟଙ୍କା ଯୋଗାଡ଼ କରିଛି।