ଖଣ୍ଡେ ୨ ହଜାର ଟଙ୍କିଆର ଛପା ଖର୍ଚ୍ଚ ୩ ଟଙ୍କା ୫୩

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଆଣିଲେ। ବିମୁଦ୍ରୀକରଣ ପରେ ୨୦୧୭-୧୮ରେ ‌ଖଣ୍ଡେ ୨ ହଜାର ଟଙ୍କିଆ ନୋଟ୍ ଛାପିବାକୁ ରିଜର୍ଭ ବ୍ୟାଙ୍କକୁ ୪ ଟଙ୍କା ୧୮ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ୨୦୧୮-୧୯ରେ ଏଥିରେ ୬୫ ପଇସା ବା ୧୮ ପ୍ରତିଶତ ହ୍ରାସ ଘଟିଛି। ଫ‌ଳରେ ୨୦୧୮-୧୯ରେ ‌ଖଣ୍ଡେ ୨ ହଜାର ଟଙ୍କିଆ ନୋଟ୍ ଛାପିବାକୁ ରିଜର୍ଭ ବ୍ୟାଙ୍କକୁ ୩ ଟଙ୍କା ୫୩ ପଇସା ଖର୍ଚ୍ଚ କରିବାକୁ ପଡ଼ିଛି। ରିଜର୍ଭ ବ୍ୟାଙ୍କର ଶତ ପ୍ରତିଶତ ସହାୟକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡରେ ହିଁ କେବଳ ୨ ହଜାର ଟଙ୍କିଆ ନୋଟ୍ ଛପା ଯାଇଥାଏ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପକ୍ଷରୁ ରାଜ୍ୟସଭାରେ ପ୍ରଦାନ କରାଯାଇଥିବା ଏକ ଲିଖିତ ଉତ୍ତରରୁ ଏହା ଜଣାଯାଇଛି। ସେହିଭଳି ଏହି କାରଖାନାରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ର ଛପା ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ୨୦୧୭-୧୮ରେ ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ଛାପିବାକୁ ୨ ଟଙ୍କା ୩୯ ପଇସା ଖର୍ଚ୍ଚ ହେଉଥିବାବେଳେ ୨୦୧୮-୧୯ରେ ଏହା ୨ ଟଙ୍କା ୧୩ ପଇସାକୁ କମିଛି। ୨୦୧୭-୧୮ରେ ଖଣ୍ଡେ ୨୦୦ ଟଙ୍କିଆ ନୋଟକୁ ଛାପିବା ଲାଗି ୨ ଟଙ୍କା ୨୪ ପଇସା ଆବଶ୍ୟକ ପଡ଼ୁଥିବାବେଳେ ୨୦୧୮-୧୯ରେ ଏହା ୨ ଟଙ୍କା ୧୫ ପଇସାକୁ କମିଛି। ଅନ୍ୟପକ୍ଷରେ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଠିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡରେ ଗୋଟିଏ ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ଛାପିବା ବାବଦ ଖର୍ଚ୍ଚ ୨୦୧୭-୧୮ ଏବଂ ୨୦୧୮-୧୯ରେ ସମାନ ରହିଛି। ୫୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ୩ ଟଙ୍କା ୩୭ ପଇସା ଏବଂ ୨୦୦ ଟଙ୍କିଆ ନୋଟର ଛପା ଖର୍ଚ୍ଚ ୩ ଟଙ୍କା ୧୨ ପଇସା ରହିଛି। ନୋଟ୍ ଛାପି ବାବଦରେ ୨୦୧୭-୧୮ (ଜୁଲାଇ-ଜୁନ)ରେ ୭୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬-୧୭ରେ ଏହି ରାଶି ୪୯୧୨ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର