ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୨୫ ମସିହାରେ ୯୦ କୋଟି ଟପିବ। ଇଣ୍ଟରନେଟ୍ ଆଣ୍ଡ୍‌ ମୋବାଇଲ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ଏବଂ ଗବେଷଣା ସଂସ୍ଥା କନ୍ତାରା ପକ୍ଷରୁ ମିଳିତଭାବେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୮୮.୬ କୋଟିରେ ପହଞ୍ଚି ଯାଇଛି। ପ୍ରତିବର୍ଷ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ୮ ପ୍ରତିଶତ ବୃଦ୍ଧି ଘଟୁଛି। ଅଧିକ ବୃଦ୍ଧି ଗ୍ରାମାଞ୍ଚଳରେ ହେଉଛି। ୨୦୨୪ରେ ଦେଶରେ ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ସଂଖ୍ୟା ହେଲା ୪୮.୮ କୋଟି ହୋଇଥିବାବେଳେ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ୩୯.୭ କୋଟି ରହିଛି। ‌ଦେଶରେ ‌ଇଣ୍ଟରନେଟ୍ ବ୍ୟବହାରକାରୀମାନେ ପ୍ରତିଦିନ ହାରାହାରି ୯୦ ମିନିଟ୍‌ ବା ଦେଢ଼ ଘଣ୍ଟା ସମୟ ଏଥିରେ ବିତାଉଛନ୍ତି। ସହରାଞ୍ଚଳର ଇଣ୍ଟରନେଟ୍ ବ୍ୟବହାରକାରୀମାନେ ହାରାହାରି ୯୪ ମିନିଟ୍ ଏବଂ ଗ୍ରାମାଞ୍ଚଳର ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଦୈନିକ ହାରାହାରି ୮୯ ମିନିଟ୍‌ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟ ମଧ୍ୟ କମୁଛି। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୫୩ ପ୍ରତିଶତ ରହିଥିବାବେଳେ ମହିଳାଙ୍କ ପ୍ରତିଶତ ୪୭ ପ୍ରତିଶତ ରହିଛି।  

Advertisment

ଇଣ୍ଟରନେଟ୍ ବ୍ୟବହାରକାରୀ ସଂଖ୍ୟା ୯୦ କୋଟି ଟପିବ
୪୧% ଭାରତୀୟଙ୍କ ନିକଟରେ ଏବେ ବି ଅପହଞ୍ଚ

ଇଣ୍ଟରନେଟ୍ ସାନ୍ଦ୍ରତାରେ କେରଳ ସବୁଠୁ ଆଗରେ ରହିଛି। ‌କେରଳରେ ଏହା ୭୨ ପ୍ରତିଶତ ଥିବାବେଳେ ଗୋଆରେ ୭୧ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୭୦ ପ୍ରତିଶତ ରହିଛି। ଏମାନେ ଦେଶରେ ଇଣ୍ଟରନେଟ୍ ସାନ୍ଦ୍ରତା କ୍ଷେତ୍ରରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ସବୁଠୁ ପଛରେ ପଡ଼ିଥିବା ରାଜ୍ୟଗୁଡ଼ିକ ହେଲେ ବିହାର ୪୩ ପ୍ରତିଶତ, ଉତ୍ତରପ୍ରଦେଶ ୪୬ ପ୍ରତିଶତ ଏବଂ ଝାଡ଼ଖଣ୍ଡ ୫୦ ପ୍ରତିଶତ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ୨୦୨୪ରେ ‌୮୭ କୋଟି (୯୮ ପ୍ରତିଶତ) ଇଣ୍ଟରନେଟ୍ ବ୍ୟବହାରକାରୀ ଭାରତୀୟ ଭାଷାରେ ଇଣ୍ଟରନେଟ୍ ବ୍ୟବହାର କରିଛନ୍ତି। ସହରାଞ୍ଚଳରେ ୫୭ ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାରକାରୀ ଆଞ୍ଚଳିକ ଭାଷାର ବିଷୟବସ୍ତୁକୁ ଇଣ୍ଟ‌ରନେଟ୍‌ରେ ଦେଖିଛନ୍ତି। ସହରାଞ୍ଚଳରେ ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟୀ, ତେଲୁଗୁ, ବଙ୍ଗଳା, କନ୍ନଡ଼, ମାଲୟାଲମ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଇଣ୍ଟରନେଟ ବ୍ୟବହାରକାରୀ ଉପଯୋଗ କରିଛନ୍ତି। ଦେଶରେ ଭାରତୀୟ ଭାଷାରେ ହେଉଥିବା ଇଣ୍ଟରନେଟ୍ ବ୍ୟବହାର ମଧ୍ୟରୁ ସର୍ବାଧିକ ବ୍ୟବହାର ଭିଡିଓ ଦେଖିବାରେ ହେଉଛି। ଏହା ପଛକୁ ଯଥାକ୍ରମେ ଗୀତ ଶୁଣିବା, ସୋସିଆଲ ନେଟୱର୍କିଂ, ଅନଲାଇନ୍‌ ସପିଂ ଏବଂ ଅନଲାଇନ ସର୍ଚ୍ଚ ରହିଛି। ୫ ଜଣରେ ଜଣେ ଭଏସ୍‌ କମାଣ୍ଡ୍‌ ଜରିଆରେ ଇଣ୍ଟରନେଟ୍‌ ଆକ୍ସେସ୍‌ କରୁଛନ୍ତି। ଇଣ୍ଟରନେଟ୍ ବ୍ୟବହାରରେ ପ୍ରଗତି ସତ୍ତ୍ବେ ଏବେ ବି ୪୧ ପ୍ରତିଶତ ଭାରତୀୟ ଏହାଠାରୁ ଦୂରରେ ଅଛନ୍ତି। ଏହାର ମୁଖ୍ୟ କାରଣ ଗୁଡ଼ିକ ହେଲା ସଚେତନତା ଅଭାଗ(୨୫%), ସୁଲଭ ନହେବା (୧୬%) ଏବଂ ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ଉପଲବ୍ଧ ନହେବା(୧୩%)।