ସଡ଼କ ଦୁର୍ଘଟଣାରେ ବର୍ଷକୁ ମରୁଛନ୍ତି ଦେଢ଼ ଲକ୍ଷ, ରେଳ ଦୁର୍ଘଟଣା ଜନିତ ମୃତ୍ୟୁ କମୁଛି

ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ହାରାହାରି ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ୨୦୧୬ରେ ୧,୫୦,୭୮୫ ଜଣ, ୨୦୧୭ରେ ୧,୪୭,୯୧୩ ଜଣ ଓ ୨୦୧୮ରେ ୧,୫୮,୫୧୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରତି ଘଂଟାରେ ପ୍ରାୟ ୧୭ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ୨୦୧୮ ବର୍ଷର ତଥ୍ୟରୁ ଜଣାପଡ଼ିଛି ଯେ ଦୁଇ ଚକିଆ ଦୁର୍ଘଟଣାରେ ୫୫,୩୩୬ ଜଣ, କାର୍‌/ଟାକ୍ସିରେ ୨୫,୧୧୫ ଜଣ, ଗାଡ଼ି ଧକ୍କାରେ ୨୨,୬୫୬ ପଥଚାରୀ ଓ ଟ୍ରକ୍ ଦୁର୍ଘଟଣାରେ ୧୫,୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ଗାଡ଼ି ଧକ୍କା ଦେଇ ପଳାଇବା କାରଣରୁ ୨୬,୬୧୯, ମୁହାଁମୁହିଁ ଧକ୍କା ଯୋଗୁଁ ୨୯,୬୪୬ ଜଣ, ପଛରୁ ଧକ୍କା ଦେବାରୁ ୨୫,୮୦୧ଜଣ ଓ ପାର୍କିଂ ହୋଇଥିବା ଗାଡ଼ି ଦୁର୍ଘଟଣାରେ ୪୭୮୦ ଜଣଙ୍କ ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣାରେ ୧୮-୩୫ ବର୍ଷ ବୟସ ବର୍ଗରେ ସର୍ବାଧିକ ୭୨,୭୩୭ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୮ରେ ଉତ୍ତରପ୍ରଦେଶରେ ସର୍ବାଧିକ ୨୨,୨୫୬ ଜଣ, ମହାରାଷ୍ଟ୍ରରେ ୧୩,୨୬୧ ଜଣ, ତାମିଲନାଡୁରେ ୧୨,୨୧୬ ଜଣ, କର୍ଣ୍ଣାଟକରେ ୧୦,୯୯୦ ଜଣ ଓ ମଧ୍ୟପ୍ରଦେଶରେ ୧୦,୭୦୬ ଜଣଙ୍କ ମୃତ୍ୟୁ ହୋଇଛି।

ରେଳବାଇର ଦୀର୍ଘ ୧୬୬ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ୨୦୧୯-୨୦ରେ ଗୋଟିଏ ବି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇନାହିଁ। ଏହାକୁ ରେଳ ଯାତ୍ରାର ସବୁଠୁ ସୁରକ୍ଷିତ ବର୍ଷ ଭାବେ ବିଚାର କରାଯାଉଛି। ଟ୍ରେନ୍‌ରେ ସାଧାରଣତଃ ଲାଇନଚ୍ୟୁତ ହେବା, ଲେବଲ୍ କ୍ରସିଂରେ ଦୁର୍ଘଟଣା, ଅଗ୍ନିକାଣ୍ଡ ଓ ମୁହାଁମୁହିଁ ଧକ୍କା ଯୋଗୁଁ ମୃତ୍ୟୁ ହୋଇଥାଏ। ଗତ ୩୮ ବର୍ଷ ଭିତରେ ଟ୍ରେନ୍ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ ହ୍ରାସ ପାଇଛି।୧୯୬୦-୨୧ରେ ୨୧୩୧ ଥର ରେଳ ଦୁର୍ଘଟଣା ହୋଇଥିଲା। ୧୯୭୦-୭୧ ସୁଦ୍ଧା ତାହା ୮୪୦କୁ ହ୍ରାସ ପାଇଥିଲା। ୧୦୮୦-୮୧ରେ ୧୦୧୩ ଥର ଦୁର୍ଘଟଣା ଘଟିଥିଲା। ୨୦୧୧-୧୨ ସୁଦ୍ଧା ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ୧୪୧କୁ ହ୍ରାସ ପାଇଥିଲା। ୧୯୯୦-୯୫ ଭିତରେ ବର୍ଷକୁ ହାରାହାରି ୫୦୦ ଟ୍ରେନ୍ ଦୁର୍ଘଟଣା ହୋଇଥିବା ବେଳେ ୨୪୦୦ ଲୋକଙ୍କ ମୃତ୍ୟୁ ହେବା ସହ ୪୩୦୦ ଲୋକ ଆହତ ହୋଇଥିଲେ। ୨୦୧୩-୨୦୧୮ ଭିତରେ ୯୯୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୧୫୦୦ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର