ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ କରିବା ଦ୍ବାରା ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଏଥିପାଇଁ ସୁପାରିସ କରିସାରିଥିବାବେଳେ କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ଦେଇସାରିଛି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯଦିଓ ଅନେକ ଆହ୍ବାନ ରହିଛି ତଥାପି ଏହା ଅସାଧ୍ୟ ନୁହେଁ। ଏହି ଯୋଜନାକୁ କାର୍ଯ୍ୟକାରୀ କରାଗଲେ ୨୦୨୯ରେ ପ୍ରାୟ ୮ ହଜାର କୋଟି (୭୯୫୧ କୋଟି) ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ। ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଆକଳନ କରାଯାଇଛି। ଏଥିସହିତ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି। ଭୋଟର ତାଲିକା ପ୍ରସ୍ତୁତି ଠାରୁ ଆରମ୍ଭ କରି ଅତିରିକ୍ତ ଭୋଟିଂ ମେସିନ ସଂଗ୍ରହ, ସୁରକ୍ଷା ବଳ ମଧ୍ୟରେ ସମନ୍ବୟ ସ୍ଥାପନ ଠାରୁ ଆରମ୍ଭ କରି ବିଭନ୍ନ ସାମଗ୍ରୀର ପରିବହନର ସୁପରିଚାଳନା କାର୍ଯ୍ୟ ସମ୍ପାଦନ ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ଆବଶ୍ୟକ ବୋଲି କୁହାଯାଇଛି।

Advertisment

ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତ ଏହି ତଥ୍ୟ ପ୍ରଥମେ ଆଇନ କମିସନଙ୍କୁ ୨୦୨୩ ମାର୍ଚ୍ଚ ମାସରେ ପ୍ରଦାନ କରାଯାଇଥିଲା। ଉକ୍ତ ସମାନ ତଥ୍ୟକୁ ନିର୍ବାଚନ କମିସନ ଚଳିତବର୍ଷ ଜାନୁଆରିରେ କୋବିନ୍ଦ କମିଟିକୁ ପ୍ରଦାନ କରିଛି। ଏଥିରେ ଦର୍ଶାଯାଇଛି ଯେ ୨୦୨୯ରେ ଦେଶରେ ଭୋଟଦାନ କେନ୍ଦ୍ର ସଂଖ୍ୟା ୧୩.୬ ଲକ୍ଷକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି। 
ଏକସଙ୍ଗରେ ନିର୍ବାଚନ କରିବାକୁ ହେଲେ ୨୬.୫ ଲକ୍ଷ ବାଲଟ୍‌ ୟୁନିଟ୍‌, ୧୭.୮ ଲକ୍ଷ କଣ୍ଟ୍ରୋଲ ୟୁନିଟ୍‌ ଏବଂ ୧୭.୮ ଲକ୍ଷ ଭୋଟର ଯାଞ୍ଚ ପେପର ଅଡିଟ୍‌ ଟ୍ରେଲ (ଭିଭିପାଟ୍‌)ର ଅଭାବ ରହିଥିବା ନିର୍ବାଚନ କମିସନ ହିସାବ କରିଛନ୍ତି। ଏସବୁ ବାଦ୍‌ ସାମଗ୍ରୀ ପରିବହନଜନିତ ଆହ୍ବାନ ମଧ୍ୟ ରହିଛି। ନିର୍ବାଚନ କମିସନ ଏହା କହିଛନ୍ତି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଯଦିଓ ଭୋଟର ତାଲିକାକୁ ବ୍ୟବସ୍ଥିତ କରାଯାଇଛି ସ୍ଥାନୀୟ ବା ସ୍ବାୟତ୍ତ ଶାସନ ସଂସ୍ଥା ଗୁଡ଼ିକ ପାଇଁ ଭୋଟର ତାଲିକାକୁ ଅଧିକ ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଦେଶରେ ସେମିକଣ୍ଡକ୍ଟରର ଅଭାବ ଥିବା କାରଣରୁ ଠିକ୍‌ ସମୟରେ ଭୋଟିଂ ମେସିନ ଉତ୍ପାଦନଜନିତ ଚିନ୍ତା ମଧ୍ୟ ରହିଛି। 

୨୦୨୯ ପୂର୍ବରୁ ଦେଶରେ ନୂଆ ଇଭିଏମ୍‌ ମଡେଲ ବ୍ୟବହାରର ସମ୍ଭାବନା ରହିଛି। ଯଦି ଏହା ହୁଏ ତାହେଲେ ସମସ୍ତ ଇଭିଏମ୍‌କୁ ବଦଳାଇବାକୁ ପଡ଼ିବ। ଏଥିସହିତ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ପୋଲିଂ ଅଫିସର ଓ ଅନ୍ୟାନ୍ୟ ମାନବସମ୍ବଳର ଆବଶ୍ୟକତା ଅଧିକ ସଂଖ୍ୟାରେ ରହିଛି। ୨୦୨୯ରେ ଏକସଙ୍ଗରେ ନିର୍ବାଚନ ହେଲେ ୫୦ ପ୍ରତିଶତ ଅଧିକ କେନ୍ଦ୍ରୀୟ ଫୋର୍ସର ଆବଶ୍ୟକତା ରହିଛି। ପୂର୍ବ ଆକଳନ ଅନୁଯାୟୀ, ପ୍ରାୟ ୭ ଲକ୍ଷ କେନ୍ଦ୍ରୀୟ ଫୋର୍ସ ମୁତୟନ ଆବଶ୍ୟକ ହେବ। ଏଥିସହିତ ଇଭିଏମ୍‌ ଓ ଭିଭିପାଟ୍‌ ସଂରକ୍ଷଣ ପାଇଁ ୮୦୦ ଅତିରିକ୍ତ ଗୋଦାମ ଗୃହର ଆବଶ୍ୟକତା ରହିଛି।