ନୂଆଦିଲ୍ଲୀ: ସରକାର ଆସନ୍ତାବର୍ଷ ଜୁନ୍ ପହିଲାରୁ ‘ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରିବେ। ଏହାଦ୍ବାରା ଦେଶର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇ ଶ୍ରମିକ ଏବଂ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷଭାବେ ଉପକୃତ ହେବେ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ବାନ ଆଜି ଏହି ସୂଚନା ଦେଇଛନ୍ତି। ଉକ୍ତ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଯୋଗ୍ୟ ହିତାଧିକାରୀମାନେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ସରକାର ଯୋଗାଇ ଦେଉଥିବା ଖାଦ୍ୟସାମଗ୍ରୀ ପାଇପାରିବେ। ବାୟୋମେଟ୍ରିକ/ଆଧାର ପ୍ରମାଣୀକରଣ ପରେ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ୍ (ଇପିଓଏସ୍) ମାଧ୍ୟମରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଲୋକସଭାରେ କେନ୍ଦ୍ରମନ୍ତ୍ରୀ ପାଶ୍ବାନ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ସବୁ ସୁଲଭ ମୂଲ୍ୟର ଦୋକାନ ଗୁଡ଼ିକରେ ଇପିଓଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାର୍ଡ ସ୍ଥାନାନ୍ତର ସୁବିଧା ଉପଲବ୍ଧ ହେବ। ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଦେଶର ଅଗଣିତ ଶ୍ରମିକ ଯେଉଁମାନେ ଜୀବିକା ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଆନ୍ତି ସେମାନେ ସହଜରେ ଖାଦ୍ୟସାମଗ୍ରୀ ପାଇପାରିବେ। ଏତଦ୍ବ୍ୟତୀତ ସରକାର ଗୋଟିଏ ଦେଶ ଗୋଟିଏ ମାନକ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି। ସବୁ ସାମଗ୍ରୀର ମାନକକୁ ଦେଶବ୍ୟାପୀ ଗୋଟିଏ କରିବା ପାଇଁ ଏହା କରାଯିବ। ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ମାନକ ବ୍ୟୁରୋକୁ ଏଥିପାଇଁ ଏକ ନକ୍ସା ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ଭାରତୀୟ ମାନକ ବ୍ୟୁରୋ ମଧ୍ୟ ୨୦ ହଜାରରୁ ଅଧିକ ଭାରତୀୟ ମାନକ ପ୍ରସ୍ତୁତ କରିଛି। ଯେଉଁଠି ସମ୍ଭବ ଭାରତୀୟ ମାନକକୁ ଅନ୍ତର୍ଜାତୀୟ ମାନକ ସହ ସମାନ କରିବା ପ୍ରଚେଷ୍ଟା କରାଯାଉଛି। ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ପ୍ରାୟ ୫୧ଟି ଦେଶର ୯୯୮ଟି ସଂସ୍ଥାକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ବିଭିନ୍ନ ଉତ୍ପାଦ ପାଇଁ ଭାରତୀୟ ମାନକ ଅନୁସାରେ ଏହି ଲାଇସେନ୍ସ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ନୀତି ଜୁନ୍ ପହିଲାରୁ କାର୍ଯ୍ୟକାରୀ ହେବ
ଉପକୃତ ହେବେ ଶ୍ରମିକ
/sambad/media/post_attachments/wp-content/uploads/2019/12/images-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)